କୁହୁକ ଫଳ

 

 

 

 

 

 

 

 

 

 

 

କୁହୁକ ଫଳ

ଶ୍ରୀ ଉମାଶଙ୍କର ପଣ୍ଡା

 

 

 

 

 

 

 

 

 

 

ମୋ ଦେଶର ଅଜସ୍ର କୁନିମୁନିମାନଙ୍କ ହାତରେ

 

–ଲେଖକ

 

 

 

 

 

 

 

 

ପୁସ୍ତକଟିର ପ୍ରଥମ ପ୍ରକାଶ ପୂର୍ଣ୍ଣିମା ପ୍ରକାଶନୀ, ସମ୍ବଲପୁରଙ୍କ ସୌଜନ୍ୟରୁ ହୋଇଥିଲା-। ଏହି ପୁସ୍ତକରେ ସନ୍ନିବେଶିତ ଗଳ୍ପଗୁଡ଼ିକ ବିଦେଶୀ ଲୋକକଥାର ଛାୟାରେ ଲିଖିତ । ଦ୍ୱିତୀୟ ପ୍ରକାଶ ପାଇଁ ହୀରାଖଣ୍ଡ ପବ୍ଲିକେଶନ୍‌ସ ଧନ୍ୟବାଦାର୍ହ ।

 

—ଲେଖକ

 

 

 

 

 

 

 

ଏହି ଲେଖକଙ୍କର ପ୍ରକାଶୋନ୍ମୁଖୀ ସାହିତ୍ୟ କୃତି–

 

ନିଭୃତ ଆକାଶ [ଗଳ୍ପ ସଙ୍କଳନ]

 

ନିଶବ୍ଦ ନୂପୁର [କବିତା ସଙ୍କଳନ]

 

କୁହୁକ ଫଳ

 

ଗୋଟାଏ ଦେଶରେ ଜଣେ ରାଜା ଓ ତାଙ୍କର ରାଣୀ ଥିଲେ । ସେମାନଙ୍କର ଏକ ପରମା ସୁନ୍ଦରୀ ସର୍ବଗୁଣସମ୍ପନ୍ନା, ବୁଦ୍ଧିମତୀ ଝିଅ ଥିଲା । ଝିଅଟି ରୂପରେ ଓ ଗୁଣରେ ଥିଲା ଅସାଧାରଣ । ରାଇଜସାରା ସମସ୍ତେ ରାଜକୁମାରୀଙ୍କୁ ପ୍ରଶଂସା କରୁଥିଲେ । କିନ୍ତୁ ରାଜକୁମାରୀ ଯୌବନରେ ପଦାର୍ପଣ କରିବାମାତ୍ରକେ ରୋଗାକ୍ରାନ୍ତ ହୋଇପଡ଼ିଲେ । ରାଇଜଯାକର ବଇଦ ଓ ଚିକିତ୍ସକମାନଙ୍କୁ ଡକାହେଲା । ନାନାପ୍ରକାର ପୂଜା, ପ୍ରାର୍ଥନା କରାଗଲା କିନ୍ତୁ କେଉଁଥିରେ କୌଣସି ପ୍ରକାର ଫଳ ହେଲା ନାହିଁ । ରାଜା ସୁନା ମୋହରର ଥଳିଟିଏ ରଖିଦେଇ କହିଲେ, ‘‘ରାଜକୁମାରୀଙ୍କ ରୋଗ ଯେ ଭଲ କରି ଦେଇପାରିବ, ସେ ଥଳିଟି ପୁରସ୍କାର ପାଇବ ଆଉ ରାଜ୍ୟରୁ ବି ମୁଁ ଅଧେ ଦେଇଦେବି ।’’

 

ସେମାନଙ୍କ ମଧ୍ୟରେ ଜଣେ ବୁଢ଼ା ବଇଦ ଥିଲା ସେ ଉଠିପଡ଼ି କହିଲା—‘‘ମହାରାଜ, ରାଜକୁମାରୀ ନିଶ୍ଚୟ ଭଲ ହେବେ କିନ୍ତୁ ଏ ରୋଗ ପାଇଁ ଯେଉଁ ଔଷଧ ଦରକାର ତାହା ଏଠାରେ ନାହିଁ । ସେ ଔଷଧ ଏଠାରୁ ବହୁ ଦୂରରେ ନାରଙ୍ଗି ଫଳୁଥିବା ଦେଶରେ ମିଳେ । ସେ ଦେଶରେ ଏକ ସୁନ୍ଦର ବଗିଚା ଅଛି—ଯେଉଁଠି କେବେହେଲେ କାକର କିମ୍ବା କୁଆପଥର ପଡ଼େନାହିଁ—ସେହି ବଗିଚାରେ ଏକ ନାରଙ୍ଗି ଗଛ ଅଛି; ଯେଉଁ ଗଛର ପ୍ରତ୍ୟେକଟି ଶାଖା ଫୁଲରେ ଭାଙ୍ଗିପଡ଼ୁଛି । ବଗିଚାଟି ସାତଶହ ବୁଲ୍‍ବୁଲ୍ ଚଢ଼େଇଙ୍କର କାକଳୀରେ ଦିନରାତି ମୁଖରିତ । ଏହି ନାରଙ୍ଗି ଗଛରେ କେବଳମାତ୍ର ନଅଟି ଫଳ ରହିଛି ଯାହାର ରଙ୍ଗ ସୁନାପରି ଖୁବ୍‌ ହଳଦିଆ । ମହାରାଜ ! ଆପଣ ଏପରି କୌଣସି ନବଯୁବକଙ୍କୁ ସେଥିରୁ ତିନିଟି ଫଳ ତୋଳି ଆଣିବାକୁ ପଠାନ୍ତୁ । ଯେତେବେଳେ ରାଜକୁମାରୀ ପ୍ରଥମ ଫଳଟି ଖାଇବେ, ସେତେବେଳେ ସେ ବିଚ୍ଛଣାରୁ ଉଠି ବସିବେ, ଦ୍ୱିତୀୟଟି ଖାଇଲେ ଅତ୍ୟନ୍ତ ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ ଦେଖାଯିବେ, ଓ ତୃତୀୟ ଫଳଟି ଖାଇସାରିଲେ ସେ ଫଳ ଆଣିଥିବା ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ବ୍ୟାକୁଳ ହୋଇପଡ଼ିବେ ।

 

ରାଜା ଏକଥା ଶୁଣିବାମାତ୍ରେ ଡିଙ୍ଗୁରା ଦେଇ, ଦେଶର ଗୋଟାଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏଁ ଏ ସନ୍ଦେଶ ଜଣେଇ ଦେବା ପାଇଁ ଆଦେଶ ଦେଲେ ।

 

ସଙ୍ଗେ ସଙ୍ଗେ ଡିଙ୍ଗୁରା ଦେଇ ପ୍ରଚାର କରାଗଲା ଯେ, ରାଜକୁମାରୀ ପୀଡ଼ିତ ଅଛନ୍ତି—ଯେଉଁ ନବଯୁବକ ତାଙ୍କ ପାଇଁ ନାରଙ୍ଗି ଫଳୁଥିବା ଦେଶର ତିନିଟି ନାରଙ୍ଗି ଫଳ ତୋଳି ଆଣି ଦେଇପାରିବେ ତା’ସହିତ ରାଜକୁମାରୀଙ୍କ ବିବାହ ହେବ ।

 

ସେହି ସମୟରେ ସେ ଦେଶର ଗୋଟାଏ ଛୋଟ କୁଡ଼ିଆରେ ଏକ ବିଧବା ସ୍ତ୍ରୀଲୋକ ଓ ତା’ର ତିନିଟି ପୁଅ ବାସ କରୁଥିଲେ । ବଡ଼ପୁଅ ଥିଲା ଅକର୍ମଣ୍ୟ, ମଦ୍ୟପ ଓ ଜୁଆଡ଼ି । କିନ୍ତୁ ତୃତୀୟ ପୁତ୍ରର ସୁନ୍ଦର ସ୍ୱଭାବ ଯୋଗୁଁ ତାକୁ ସମସ୍ତେ ଆଦର କରୁଥିଲେ । ସେ ଥିଲା ବୁଦ୍ଧିମାନ, ପରିଶ୍ରମୀ ଓ ସବଳ ଯୁବକ ।

 

ବଡ଼ପୁଅ ମାଆକୁ ଆସି କହିଲା—‘‘ମା’, ଡେଙ୍ଗୁରାବାଲା ଡେଙ୍ଗୁରା ଦେଇ କ’ଣ କହିଗଲା, ନିଶ୍ଚୟ ଶୁଣିଛ; ମୋତେ ଗୋଟିଏ ଟୋକେଇ ଦିଅ ମୁଁ ନାରଙ୍ଗି ଦେଶକୁ ଯାଇ ତିନିଟି ନାରଙ୍ଗି ଫଳ ନେଇ ଫେରିଲେ, ମୋର ରାଜକୁମାରୀ ସହିତ ବିବାହ ହେବ ।’’

 

ମାଆ ପୁଅକୁ ଟୋକେଇଟିଏ ଦେଲା । ବଡ଼ପୁଅ ଯାତ୍ରା ଆରମ୍ଭ କଲା । ସାତସପ୍ତାହ ଯାଏ ସକାଳୁ ଉଠି ସେ ରାତିଅଧ ଯାଏ ଚାଲୁଥାଏ । ଶେଷରେ ସେ ନାରଙ୍ଗି ଫଳୁଥିବା ଦେଶରେ ପହଞ୍ଚିଲା । ସେହି ସୁନ୍ଦର ବଗିଚାରେ ଗୋଟିଏ ନାରଙ୍ଗି ଗଛ ଦେଖିଲା ଯାହାର ପ୍ରତିଟି ଡାଳ ଫୁଲରେ ଭରିଯାଇଥିଲା ଏବଂ ଦିନରାତି ସାତଶହ ବୁଲ୍‌ବୁଲ୍‌ ଚଢ଼େଇଙ୍କ କାକଳୀ ଶୁଭୁଥିଲା । ଏହି ଗଛରେ ନଅଟି ନାରଙ୍ଗି ଫଳିଥିଲା ଯାହାର ରଙ୍ଗ ସୁନାପରି ଦେଖାଯାଉଥିଲା । ବଡ଼ପୁଅ ସେଥିରୁ ତିନିଟି ନାରଙ୍ଗି ଫଳ ତୋଳି ଆପଣା ଟୋକେଇରେ ରଖି ଫେରିଲା । ଫେରିବା ବାଟରେ ସେ ଥକିଯାଇ ବଣ ମଝିରେ ଗୋଟିଏ ଝରଣାକୂଳରେ ଥିବା ଏକ ବଡ଼ଗଛ ତଳେ ବିଶ୍ରାମ ନେଲା । ଝରଣାର କାଚକେନ୍ଦୁ ପାଣି ପାଖରେ ଅନ୍ଧାର ଭଳି କଳା କିଟ୍‌କିଟ୍‌ କେଇଜଣ ବୁଢ଼ୀ ବସିଥିଲେ—ସେମାନେ ପଚାରିଲେ—‘‘ସେ ଟୋକେଇ ଭିତରେ କ’ଣ ଅଛି ?’’ ଯୁବକ କହିଲା—‘‘ଏଥିରେ ବେଙ୍ଗ ଅଛି ।’’ ବୃଦ୍ଧାମାନେ କହିଲେ—‘‘ବେଙ୍ଗ ! ତଥାସ୍ତୁ ।’’ ବଡ଼ପୁଅ ନିଜ ଦେଶରେ ପହଞ୍ଚିଲାବେଳକୁ ସଞ୍ଜ ନଇଁ ଯାଇଥିଲା—ଯୁବକଟି ରାଜାଙ୍କ ନିକଟରେ ନିଜର ଟୋକେଇଟି ଥୋଇ କହିଲା—‘‘ମହାରାଜ, ମୁଁ ତିନିଟି ନାରଙ୍ଗି ନେଇ ଆସିଛି—ଏଥର ରାଜକୁମାରୀଙ୍କ ସହିତ ମୋର ବିବାହ କରାଇ ଦିଅନ୍ତୁ । ମହାରାଜ ଟୋକେଇର ଘୋଡ଼ଣିଟି ଖୋଲିଦେଲେ, ଟୋକେଇ ଭିତରୁ ତିନିଟି ବେଙ୍ଗ ପଦାକୁ ଡେଇଁପଡ଼ିଲେ ।

 

ମହାରାଜ କହିଲେ—‘‘ଆରେ ଇଏତ ତିନିଟି ବେଙ୍ଗ ।’’ ତା’ପରେ ରାଗିଯାଇ ତାକୁ ଫାଶି ଦେଇଦେଲେ । ତା’ ପରଦିନ ମଝିଆଁ ପୁଅଟି ମାଆକୁ କହିଲା—‘‘ମାଁ, ତୁମେ ଏବେ ମୋତେ ଗୋଟିଏ ଟୋକେଇ ଦିଅ । ମୁଁ ନାରଙ୍ଗ ଦେଶକୁ ଯାତ୍ରା କରି ନାରଙ୍ଗି ନେଇ ଫେରିଲେ ମୋର ରାଜକୁମାରୀ ସହିତ ବିବାହ ହେବ ।’’

 

ମାଁ’ ମଝିଆଁ ପୁଅକୁ ମଧ୍ୟ ଟୋକେଇ ଦେଇ ବିଦାୟ କଲେ । ସାତ ସପ୍ତାହ ଯାଏ ସକାଳୁ ଉଠି ରାତି ଅଧଯାଏ ଚାଲି ଚାଲି ଶେଷରେ ସେ ମଧ୍ୟ ନାରଙ୍ଗି ଫଳୁଥିବା ଦେଶରେ ପହଞ୍ଚି ସେହି ସୁନ୍ଦର ବଗିଚାଟି ଦେଖିଲା । ତହିଁରେ କେବଳ ଗୋଟାଏ ନାରଙ୍ଗି ଗଛ ଥିଲା । ଗଛର ପ୍ରତିଟି ଶାଖାରେ ଫୁଲ ଭର୍ତ୍ତି ହୋଇ ରହିଥିଲା । ଆଉ ସାତଶହ ବୁଲ୍‌ବୁଲ୍‌ ଚଢ଼େଇର କାକଳୀ ଦିନରାତି ଶୁଣାଯାଉଥିଲା । ସେହି ଗଛରେ ସୁନା ରଙ୍ଗର ନଅଟି ନାରଙ୍ଗି ଫଳିଥିଲା । ମଝିଆ ପୁଅ ତହିଁରୁ ତିନିଟି ଫଳ ନେଇ ଫେରିଆସିଲା । ଆସିବା ବାଟରେ ଯେତେବେଳେ ସେ ସେହି ଝରଣାକୂଳରେ ଥିବା ଗଛତଳେ ବିଶ୍ରାମ ନେଲା, ସେତେବେଳେ ସେହି ଝରଣାକୂଳରେ ବସିଥିବା କଳା କିଟ୍‌କିଟ୍‌ ବୁଢ଼ୀମାନେ ପଚାରିଲେ, ‘‘ପୁଅ ସେ ଟୋକେଇରେ କ’ଣ ଅଛି ?’’ ଯୁବକଟି କହିଲା—‘‘ତିନିଟି ସାପ-।’’ ବୁଢ଼ୀମାନେ କହିଲେ—‘‘ଆଚ୍ଛା ! ସାପ, ତଥାସ୍ତୁ ।’’

 

ସନ୍ଧ୍ୟା ସମୟରେ ମଝିଆଁ ପୁଅଟି ଯାଇ ରାଜାଙ୍କ ନଅରରେ ପହଞ୍ଚି ଟୋକେଇଟି ଥୋଇଦେଇ କହିଲା—‘‘ମହାରାଜ, ମୁଁ ତିନିଟି ନାରଙ୍ଗି ନେଇଆସିଛି, ମୋ’ସହିତ ରାଜକୁମାରୀଙ୍କ ବିବାହ ଦିଅନ୍ତୁ । ରାଜା ଟୋକେଇଟି ଖୋଲିଦେବାମାତ୍ରେ ତା’ଭିତରୁ ତିନିଟି ସାପ ବାହାରିଆସିଲେ-। ରାଜା ତାକୁ ମଧ୍ୟ ଫାଶିକାଠରେ ନେଇ ଝୁଲେଇଦେଲେ । ତା’ପରଦିନ ସବା ସାନପୁଅ ଆସି ମାଆକୁ କହିଲା—‘‘ମା’ ତୁମେ ଡିଙ୍ଗୁରାବାଲା ଡିଙ୍ଗୁରା ଦେଇ ଯାହା କହିଥିଲା ତା’ ନିଶ୍ଚୟ ଶୁଣିଥିବ—ମୋତେ ଗୋଟିଏ ଟୋକେଇ ଦିଅ ମୁଁ ନାରଙ୍ଗି ଦେଶକୁ ଯାଇ ନାରଙ୍ଗି ନେଇ ଫେରିବି, ତା’ପରେ ରାଜକୁମାରୀଙ୍କ ସହିତ ମୋର ବିବାହ ହେବ ।’’ ମାଆଠାରୁ ଟୋକେଇ ନେଇ ସାନପୁଅ ନାରଙ୍ଗି ଦେଶକୁ ଯାତ୍ରାକଲା । ସାତ ସପ୍ତାହ ଯାଏ ତାହାକୁ ମଧ୍ୟ ସକାଳରୁ ଉଠି ଅଧରାତି ଯାଏ ଚାଲିବାକୁ ପଡ଼ିଲା । ଶେଷରେ ସେ ସେହି ନାରଙ୍ଗି ଦେଶରେ ପହଞ୍ଚି ଏକ ସୁନ୍ଦର ବଗିଚାରେ କେବଳ ଗୋଟିଏ ମାତ୍ର ନାରଙ୍ଗିଗଛ ଥିବାର ଦେଖିଲା ଯାହାର ପ୍ରତିଟି ଶାଖା ଫୁଲରେ ଭାଙ୍ଗିପଡ଼ୁଥିଲା । ସେଠାରେ ଦିନରାତି ବୁଲ୍‌ବୁଲ୍‌ ଚଢ଼େଇର କାକଳୀ ଶୁଣାଯାଉଥିଲା । ସେ ଦେଖିଲା ଗଛରେ ନଅଟି ସୁନା ରଙ୍ଗର ନାରଙ୍ଗି ଫଳିଛି । ତହିଁରୁ ତିନିଟି ଫଳ ତୋଳି ଫେରିଆସିଲା-। ବାଟରେ ସେହି ଝରଣାକୂଳରେ ଥିବା ଗଛ ଛାଇରେ ଆସି ବିଶ୍ରାମ ନେଲା । ତାକୁ ଦେଖି ସେହି ଝରଣାକୂଳରେ ବସିଥିବା କଳା କିଟ୍‌କିଟ୍‌ ବୁଢ଼ୀମାନେ ପଚାରିଲେ—‘‘ପୁଅରେ ଏହି ଟୋକେଇରେ କଅଣ ଅଛି ?’’ ଯୁବକଟି ଉତ୍ତର ଦେଲା—‘‘ଏଥିରେ ତିନିଟି ନାରଙ୍ଗି ଅଛି ।’’ ବୁଢ଼ୀମାନେ କହିଲେ–‘‘ତିନିଟି ନାରଙ୍ଗି, ତଥାସ୍ତୁ । ଦୟାକରି ଆମର ଏ ମାଠିଆଟିରେ ଏହି ଝରଣାରୁ ମାଠିଆଏ ପାଣି ନେଇଆସ । ଆମେ ଖୁବ୍‌ ତୃଷାର୍ତ୍ତ ।’’ ଯୁବକଟି ତତ୍‌କ୍ଷଣାତ୍‌ ତାଙ୍କ ଆଗରେ ମାଠିଆଏ ପାଣି ଆଣି ଥୋଇଦେଲା । ବୁଢ଼ୀମାନେ ଧନ୍ୟବାଦ ଜଣାଇ କହିଲେ—‘‘ତୁମେ ଏ ତିନିଟି ନାରଙ୍ଗି ନେଇ କ’ଣ କରିବ ?’’ ଯୁବକଟି କହିଲା—‘‘ଏହି ଫଳରେ ରାଜକୁମାରୀଙ୍କ ଚିକିତ୍ସା ହେବ । ମହାରାଜା ଘୋଷଣା କରିଥିଲେ ଯେ ଯିଏ ଏହି ଫଳଗୁଡ଼ିକ ଆଣି ଦେଇପାରିବ ତା’ସହିତ ରାଜକୁମାରୀଙ୍କର ବିବାହ ହେବ । ରାଜକୁମାରୀଙ୍କୁ ବିବାହ କରିବାର କୌଣସି ବାସନା ମୋର ନାହିଁ, କେବଳ ଗରିବ ମାଆ ପାଇଁ କିଛି ଧନ ପାଇଲେ ମୋ ପକ୍ଷରେ ଯଥେଷ୍ଟ ।’’ ଏହା ଶୁଣି ବୁଢ଼ୀମାନେ କହିଲେ—‘‘ପୁଅ ରାଜକୁମାରୀ ସହିତ ତୁମର ବିବାହ ହେବ, କିନ୍ତୁ ତୁମର ପରୀକ୍ଷା ଏ ଯାଏ ଶେଷ ହୋଇନାହିଁ । ଶୁଣ, ରାଜା ତୁମକୁ ସାରା ରାଇଜରୁ ଯେତେକ ମାଛି ସବୁ ଘଉଡ଼ାଇ ଦେବାକୁ ଆଦେଶ ଦେବେ । ଏହି ଚାବୁକଟି ସଙ୍ଗରେ ନିଅ । ତୁମେ ଏହି ଚାବୁକଟିରେ ଶବ୍ଦ କରିବା ମାତ୍ରକେ ସବୁଯାକ ମାଛି ରାଇଜ ସୀମାରୁ ସାତକୋଷ ଦୂରକୁ ପଳାଇ ଯିବେ । କେବଳ ସେତିକି ନୁହେଁ, ସେମାନେ ଆଉ କେବେହେଲେ ଫେରିଆସିବେ ନାହିଁ । ତୁମେ ଏ କାମଟି ଶେଷ କଲାପରେ ମହାରାଜା ତୁମକୁ ତିନିଶହ ମେଣ୍ଢା ନେଇ ପଡ଼ିଆରେ ଚରାଇବାକୁ ଓ ସନ୍ଧ୍ୟା ସମୟରେ ଫେରାଇ ଆଣିବାକୁ କହିବେ । ଏଣୁ ଏହି ସୁନାର ପେଁକାହାଳିଟି ନିଅ । ପେଁକାହାଳିଟି ବଜାଇବାମାତ୍ରକେ ତିନିଶହ ଯାକ ମେଣ୍ଢା ପୋଷା କୁକୁର ପରି ତୁମ ପଛେ ପଛେ ଚାଲିବେ । ଯେତେବେଳେ ରାଜା ତୁମକୁ ମେଣ୍ଢାଟିଏ ମାଗିବେ, ତୁମେ ସର୍ତ୍ତ ରଖି ମେଣ୍ଢାଟିଏ ଦେବ । ଏହି ସୁନା ମୁଦିଟି ନିଅ । ରାଜାଙ୍କୁ କହିବ, ‘‘ମହାରାଜ, ଆପଣ ଯେଉଁ ମେଣ୍ଢାଟି ଚାହାନ୍ତି ତାହା ବାଛି ନିଅନ୍ତୁ କିନ୍ତୁ ଗୋଟାଏ ସର୍ତ୍ତରେ, ଯେପରି ଏହି ସୁନା ମୁଦିଟି ଆପଣଙ୍କ ଝିଅର ଅଙ୍ଗୁଳିରେ ପିନ୍ଧାଇ ଦିଆଯାଏ ।’’ ଏତିକି କହିବାମାତ୍ରେ ତୁମର ସୁନା ମୁଦିଟି ଯାଇ ରାଜାକୁମାରୀଙ୍କର ଅଙ୍ଗୁଳିରେ ଏତେ ଜୋରରେ ଲାଖିଯିବ ଯେ ରାଜକୁମାରୀ ଚିତ୍କାର କରି ଉଠିବେ । ସେ କାନ୍ଦି କାନ୍ଦି କହିବେ, ‘‘ବାବା ମୁଁ ମରିଯିବି, ଚଞ୍ଚଳ ସେହି ନାରଙ୍ଗି ଆଣିଥିବା ଯୁବକ ସହିତ ମୋର ବିବାହ କରିଦିଅନ୍ତୁ ।’’ ଯୁବକଟି କହିଲା, ‘‘ଆପଣମାନଙ୍କ କଥା ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ।’’ ତା’ପରେ ସେ ବୁଢ଼ୀମାନଙ୍କୁ ପ୍ରଣାମ ଜଣାଇ ଯାତ୍ରା କଲା ।

 

ସନ୍ଧ୍ୟା ସମୟରେ ସେ ରାଜାଙ୍କ ନଅରରେ ଆସି ପହଞ୍ଚିଲା । ରାଜାଙ୍କୁ ନମସ୍କାର କରି କହିଲା—‘‘ମହାରାଜ, ମୁଁ ତିନିଟି ନାରଙ୍ଗି ଆଣିଛି ।’’ ସଙ୍ଗେ ସଙ୍ଗେ ରାଜା ଟୋକେଇ ଫିଟାଇ ତା’ ଭିତରେ ତିନିଟି ନାରଙ୍ଗି ରହିଥିବାର ଦେଖିଲେ ଓ ନବଯୁବକଙ୍କୁ ଧନ୍ୟବାଦ ଜଣାଇଲେ ।

 

ରାଜକୁମାରୀଙ୍କୁ ପ୍ରଥମ ଫଳଟି ଖୁଆଇବା ପରେ ସେ ବିଛଣାରୁ ଉଠି ବସିଲା, ଦ୍ୱିତୀୟ ଫଳଟି ଖାଇ ଅତ୍ୟନ୍ତ ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ ଦେଖାଗଲା । ପୁଣି ତୃତୀୟ ଫଳଟି ଖାଇ ସେ କହିଲା, ‘‘ଯେଉଁ ଯୁବକଟି ଏ ତିନିଟି ଫଳ ଆଣିଛନ୍ତି ତାଙ୍କ ସହିତ ମୋର ବିବାହ ସହଳ କରିଦିଅନ୍ତୁ-।’’ ରାଜା ଯୁବକକୁ ମନଯୋଗ ସହକାରେ ଦେଖି କହିଲେ, ‘‘ଯୁବକ ତୁମେ ରାଇଜଯାକର ମାଛି ତଡ଼ି ଦେଇପାରିଲେ ରାଜକୁମାରୀଙ୍କ ସହିତ ତୁମର ବିବାହ ହେବ ।’’ ଯୁବକ ରାଜାଙ୍କ ଆଦେଶ ଅନୁସାରେ ସେହି ଚାବୁକଟି ବାହାର କରି ଶବ୍ଦ କରିବାକୁ ଲାଗିଲା । ସଞ୍ଜ ବେଳକୁ ରାଇଜରେ ଗୋଟିଏ ହେଲେ ମାଛି ରହିଲେ ନାହିଁ । ଯୁବକ ରାଜାଙ୍କୁ ଆସି କହିଲା–‘‘ମହାରାଜ, ଆପଣଙ୍କ ଆଦେଶାନୁସାରେ ସମସ୍ତ ମାଛିଙ୍କୁ ଘଉଡ଼େଇ ଦେଲି ।’’ ଏଥର ରାଜା ଯୁବକକୁ ଲକ୍ଷ୍ୟକରି କହିଲେ, ‘‘ତୁମେ ତିନିଶହ ମେଣ୍ଢାଙ୍କୁ ବଣରେ ଚରାଇ ନ ପାରିଲେ ରାଜକୁମାରୀଙ୍କ ସହିତ ତୁମର ବିବାହ ହୋଇପାରିବ ନାହିଁ ।

 

ରାଜାଙ୍କ ଆଦେଶ ଅନୁସାରେ ସୁନା ପେଁକାହାଳିଟି ନେଇ ସେ ମେଣ୍ଢା ଚରାଇବାକୁ ବାହାରି ଗଲା । ସୁନା ପେଁକାହଳିଟି ବଜାଇବା ମାତ୍ରକେ ସବୁଯାକ ମେଣ୍ଢା ତା’ ପଛରେ ଗୋଡ଼େଇ ଗଲେ । ସଞ୍ଜବେଳକୁ ସେ ମେଣ୍ଢାମାନଙ୍କୁ ଖୁଆଡ଼କୁ ଫେରେଇ ଆଣି କହିଲା ‘‘ମହାରାଜ, ମୁଁ ଆପଣଙ୍କ ଆଦେଶ ପାଳନ କରିଛି ।’’

 

ରାଜା ଯୁବକକୁ କହିଲେ, ‘‘ତୁମର ଗୋଟିଏ ମେଣ୍ଢା ମୋତେ ଦିଅ ।’’ ଯୁବକଟି କହିଲା, ମେଣ୍ଢାଟି ମୁଁ କେବଳ ଗୋଟାଏ ସର୍ତ୍ତରେ ଦେବି । ମୋର ଇଚ୍ଛାନୁସାରେ ଏହି ସୁନା ମୁଦିଟି ରାଜକୁମାରୀଙ୍କ ଅଙ୍ଗୁଳିରେ ପିନ୍ଧାଯିବ ।’’ ଏହା କହିବା ସଙ୍ଗେ ସଙ୍ଗେ ମୁଦିଟି ଯାଇ ରାଜକୁମାରୀଙ୍କ ଅଙ୍ଗୁଳିରେ ଏପରି ଭାବରେ ଲାଗିଗଲା ଯେ ରାଜକୁମାରୀ ଜୋରଶୋରରେ ପାଟିକରି ଉଠିଲା ଏବଂ ସେ କାନ୍ଦି କାନ୍ଦି ସେହି ନାରଙ୍ଗି ଆଣିଥିବା ଯୁବକ ସହିତ ନିଜର ବିବାହ ଦେବା ପାଇଁ ପିତାଙ୍କୁ ଅନୁରୋଧ କଲା । ରାଜା ରାଜିହେଲେ । ମୁଦିଟି ସଙ୍ଗେ ସଙ୍ଗେ ହୁଗୁଳା ହୋଇଗଲା । ପରଦିନ ଯାକଯମକରେ ସେମାନଙ୍କର ବିବାହ ହେଲା ଓ ସେମାନେ ସୁଖରେ ରହିଲେ ।

Image

 

କନକାବତୀ ଓ କୁରୂପା କନ୍ୟା କଥା

 

ଗୋଟିଏ ସହରରେ ଜଣେ ପୁରୁଷ ତା’ର ପତ୍ନୀ ଓ କନ୍ୟା ସହିତ ବାସ କରୁଥିଲା । ସ୍ତ୍ରୀର ମୃତ୍ୟୁ ହେଲା ପରେ ପୁରୁଷଟି ଆଉ ଏକ ବିଧବା ସ୍ତ୍ରୀ ଲୋକକୁ ବିବାହ କଲା । ବିଧବାଟିର ବି ପୂର୍ବରୁ ଗୋଟାଏ ଝିଅ ଥିଲା । ତେଣୁ ବିଧବା ସ୍ତ୍ରୀ ଲୋକଟି ସାବତ ଝିଅ ସହିତ ଶତ୍ରୁତା କରୁଥିଲା । ସଦାବେଳେ ତାହାକୁ ଗାଳି ଦେଉଥିଲା ଓ ସମସ୍ତ କାମ ତା’ଦ୍ୱାରା କରାଉଥିଲା । ତଥାପି ସେ ବିଧବା ସ୍ତ୍ରୀଲୋକ ତାହାକୁ ଯାହା ଖାଇବାକୁ ଦେଉଥିଲା ସେଥିପାଇଁ ତାକୁ ଶହଶହ ଥର ଖୁଣ୍ଟା ଦେଉଥିଲା ।

 

ଦିନେ ସକାଳୁ ଉଠି ସାବତ ମାତା ତାହାକୁ ଅଳିଆ ନେଇ ନଦୀରେ ପକାଇ ଆସିବା ପାଇଁ କହିଲା । ନଦୀରେ ଅଳିଆ ପକାଇବା ସମୟରେ ତା’ ହାତରୁ ଟୋକେଇଟି ମଧ୍ୟ ନଦୀରେ ପଡ଼ିଗଲା ଓ ସଙ୍ଗେ ସଙ୍ଗେ ନଈରେ ବହୁ ଦୂରକୁ ଭାସିଗଲା । ଝିଅଟି ହତାଶ୍‍ ହୋଇ ନଈ କୂଳେ କୂଳେ ଦୌଡ଼ିବାକୁ ଲାଗିଲା ।

 

ନଦୀରେ ଟୋକେଇଟା ବହୁତ ଦୂରକୁ ଭାସି ଯାଇଥିଲା, ସେଥି ପାଇଁ ସେ ନଦୀରେ ସ୍ନାନ କରୁଥିବା ଲୋକଙ୍କୁ ଚିତ୍କାର କରି ପଚାରିଲା, ‘‘ଆପଣମାନେ ଗୋଟିଏ ଟୋକେଇ ନଦୀରେ ଭାସିଯାଉଥିବାର ଦେଖିଛନ୍ତି କି ?’’ ଲୋକମାନେ କହିଲେ—‘‘ହଁ, ହଁ ଆମେ ଦେଖିଛୁ, କିନ୍ତୁ ତାହା ଧରିବା ପାଇଁ ଚେଷ୍ଟା କରିନାହୁଁ ।’’

 

ଏହିପରି ପଚାରି ପଚାରି ସେ ଆଗକୁ ଦୌଡ଼ୁଥାଏ । ଶେଷରେ ସେ ଜଣେ ସ୍ତ୍ରୀଲୋକକୁ ଦେଖି ପଚାରିଲା,—‘‘ଆପଣ କ’ଣ ବୁଡ଼ିଯାଉଥିବା ଗୋଟିଏ ଟୋକେଇ ଦେଖିଛନ୍ତି ?’’ ସ୍ତ୍ରୀଲୋକଟି କହିଲେ, ‘‘ହଁ ଦେଖିଛି, ଏହି ଦେଖ ସେ ଟୋକେଇଟି ମୁଁ ଧରିଛି ।’’ ଝିଅଟି ଧନ୍ୟବାଦ ଦେବା ପରେ ସ୍ତ୍ରୀଲୋକଟି କହିଲେ, ‘‘ବର୍ତ୍ତମାନ ମୋର ଦୁଇ କାନ ପାଖରେ କ’ଣ ଦେଖୁଛ ?’’ ବାଳିକାଟି କହିଲା, ‘‘କାନ ପାଖରେ ବହୁତ ସୁନା ଓ ରୁପା ଦେଖିବାକୁ ପାଉଛି ।’’

 

ସ୍ତ୍ରୀଲୋକଟି କହିଲେ, ‘‘ଠିକ୍‌ କଥା, ଏହି ସୁନା ଓ ରୁପା ତୁମର ପଛେ ପଛେ ଯିବେ । ଆଚ୍ଛା ତୁମେ କିଛି ଆହାର କରିଛ କି ?’’ ବାଳିକା କହିଲା ‘‘ନାଁ ଏପର୍ଯ୍ୟନ୍ତ ମୁଁ କିଛି ଆହାର କରିନାହିଁ-।’’

 

ସ୍ତ୍ରୀଲୋକ କହିଲେ, ‘‘ଆଚ୍ଛା ମୋ’ସହିତ ଆସ ମୁଁ ତୁମକୁ କିଛି ଖାଇବାକୁ ଦେବି । ବାଳିକାଟି ସ୍ତ୍ରୀଲୋକଟିର ଅନୁସରଣ କଲା । ବାଳିକାକୁ ଅନେକ ପ୍ରକାର ଖାଇବାଜିନିଷ ଖାଇବା ପାଇଁ ଦିଆଗଲା । କିନ୍ତୁ ଭଲ ଭଲ ଜିନିଷଗୁଡ଼ିକ ନ ଖାଇ ସେ କେବଳ ଗୋଟିଏ ଦୁଇଟି ଆଳୁ ନେଇ ପାଟିରେ ପୂରେଇଲା । ଖାଇସାରିବା ପରେ ବାଳିକାଟିକୁ ସ୍ତ୍ରୀଲୋକଟି ଲୁଗା ବଦଳେଇବା ପାଇଁ ଆଦେଶ ଦେଇ ତା’ଆଗରେ ବହୁ ଦାମିକା ଲୁଗା ଥୋଇଦେଲେ । କିନ୍ତୁ ବାଳିକାଟି ତା’ ମଧ୍ୟରୁ ଅତି ପୁରୁଣା ଓ ଚିରା ଲୁଗା ଖଣ୍ଡିକ ବାଛି ନେଲା । ଏହା ଦେଖି ସ୍ତ୍ରୀଲୋକଟି କହିଲେ, ‘‘ତୁମେ ଆହୁରି ସୁନ୍ଦର ଲୁଗା ବାଛି ନେବାର ଉଚିତ ଥିଲା ।’’ ଏହା କହି ତାହାକୁ ଏକ ସୁନ୍ଦର ପୋଷାକ ପିନ୍ଧାଇଦେଲେ । ପରେ ଘୋଡ଼ାଶାଳକୁ ନେଇ ଗୋଟିଏ ଘୋଡ଼ା ବାଛି ନେବା ପାଇଁ କହିଲେ । ବାଳିକାଟି ଏକ ଦୁର୍ବଳ ଓ ବୃଦ୍ଧ ଘୋଡ଼ା ବାଛିଲା । ‘‘ଏକ ସୁନ୍ଦର ସୁସ୍ଥ ଘୋଡ଼ା ବଦଳରେ ଏହାକୁ ନେଉଛୁ କାହିଁକି ?’’, କହି ସ୍ତ୍ରୀଲୋକଟି ତାହାକୁ ଏକ ସୁନ୍ଦର ହୃଷ୍ଟପୃଷ୍ଟ ଘୋଡ଼ା ପିଠିରେ ବସାଇ ଘୋଡ଼ାର ଲାଞ୍ଜରେ ଟୋକେଇଟି ବାନ୍ଧିଦେଇ ବିଦାୟ କଲେ ଏବଂ ଗୃହରେ ପହଞ୍ଚିବା ଯାଏ ପଛକୁ ଫେରି ଚାହିଁବାକୁ ମନାକଲେ । ବାଳିକା ସ୍ତ୍ରୀଲୋକଟିକୁ ପ୍ରଣାମ କରି ଧନ୍ୟବାଦ ଜଣାଇ ବିଦାୟ ନେଲା । ଘର ପାଖରେ ପହଞ୍ଚିଲାବେଳକୁ ତା’ର ମୁଣ୍ଡରୁ ଏକ ସୁନାର ତାରକା ଓହ୍ଲାଇ ଆସୁଥିଲା । ଦୂରରୁ ସାବତ ମା’ ତାହାକୁ ଦେଖି ଚିହ୍ନିପାରିଲା ନାହିଁ । କିନ୍ତୁ ବାଳିକାଟିର ପିତା ତାହାକୁ ଚିହ୍ନିପାରି କହିଲେ, ‘‘ଏ ଆମ କନକ ।’’

 

କନକ ଯେତେବେଳେ ଘରେ ଆସି ପହଞ୍ଚିଲା ସମସ୍ତଙ୍କୁ ସେ ଅଦ୍ଭୁତ ସ୍ତ୍ରୀଲୋକ କଥା କହିଲା । ସାବତ ମା’ ଏହା ଶୁଣି ନିଜ ଝିଅ ହାତରେ ଟୋକେଇଟିଏ ଦେଇ ନଈରେ ଭସେଇ ଆସିବା ପାଇଁ କହିଲା । ସିଏ ବି ତା’ ସାବତ ଭଉଣୀ ପରି ଟୋକେଇଟିକୁ ଭସାଇଦେଇ କୂଳରେ ଦୌଡ଼ି ଦୌଡ଼ି ଗାଧୋଉଥିବା ଲୋକଙ୍କୁ କହିଲା ‘‘ମୋ ଟୋକେଇଟା ଦେଖିଛ କି ?’’ ସମସ୍ତେ କହିଲେ ‘‘ଆମେ ଦେଖିଛୁ, ମାତ୍ର ଆଣିବା ପାଇଁ ଚେଷ୍ଟା କରିନାହୁଁ । ଶେଷରେ ଝିଅଟି ସେହି ସ୍ତ୍ରୀଲୋକ ପାଖରେ ପହଞ୍ଚି ପଚାରିଲା—‘‘ତୁମେ ମୋର ଟୋକେଇଟି ଦେଖିଛ କି ?’’

 

ସ୍ତ୍ରୀଲୋକଟି ଉତ୍ତର ଦେଲା, ‘‘ହଁ ମୁଁ ଦେଖିଛି ।’’ ବାଳିକାଟି ଟୋକେଇଟି ଉଠେଇ ନେଲା-। ସ୍ତ୍ରୀଲୋକଟି ତାହାକୁ ଡାକି ନେଇ କିଛି ଖାଇବା ପାଇଁ ଦେଲେ । ସେ ଭଲ ଜିନିଷଗୁଡ଼ିକ ଲୋଭରେ ପଡ଼ି ଖାଇପକାଇଲା । ପୋଷାକ ପିନ୍ଧିବା ପାଇଁ ଦେବାରୁ ସେ ସବୁଠାରୁ ଭଲ ପୋଷାକ ବାଛି ପିନ୍ଧିଲା-। ସ୍ତ୍ରୀଲୋକଟି ତାହାକୁ ଗୋଟିଏ ପୁରୁଣା ଲୁଗା ଦେଇ କହିଲେ, ‘‘ଏଇ ଲୁଗା ଖଣ୍ଡକ ତୁମ ପାଇଁ ଉପଯୁକ୍ତ ।’’

 

ଶେଷରେ ସେମାନେ ଘୋଡ଼ାଶାଳରେ ପହଞ୍ଚିଲେ । ବାଳିକାଟି ଗୋଟିଏ ହୃଷ୍ଟପୃଷ୍ଟ ଘୋଡ଼ା ବାଛିଲା ମାତ୍ର ସ୍ତ୍ରୀଲୋକଟି ତାହାକୁ ଗୋଟିଏ ଛୋଟା ଘୋଡ଼ା ଦେଇ ତା’ ଲାଞ୍ଜରେ ଟୋକେଇଟି ବାନ୍ଧି ଦେଇ ବିଦା କରିଦେଲା । ଗଲାବେଳେ ତାହାକୁ ପଛକୁ ଫେରି ଚାହିଁବାକୁ ମନାକଲେ । ବାଳିକାଟି ସ୍ତ୍ରୀଲୋକଟିକୁ ପ୍ରଣାମ କରି ବାହାରିଗଲା । ଘର ପାଖରେ ପହଞ୍ଚିଲାବେଳକୁ ସେ ନିଜକୁ ସମ୍ଭାଳି ନ ପାରି ପଛକୁ ଚାହିଁଦେବାରୁ ତା’ର କାନ ଯୋଡ଼ିକ ହଠାତ୍‌ ଗଧକାନ ପରି ଲମ୍ବା ହୋଇଗଲା । ଦୂରରୁ ତାହାକୁ ଦେଖି ତାହାର ମା’ କହିଲେ, ‘‘ଛୋଟା ଘୋଡ଼ାଟିରେ ବସି ଇଏ କେଉଁ ଭିଖାରୁଣୀ ଆସୁଛି ?’’ ତାହାର ସ୍ୱାମୀ କହିଲେ, ‘‘ଇୟେ ତ ଆମରି ଝିଅ ।’’ ବାଳିକାଟି ପାଖରେ ପହଞ୍ଚିବାରୁ ସମସ୍ତେ ତାକୁ ଚିହ୍ନିପାରିଲେ । ବହୁ ଚେଷ୍ଟା କରି ମଧ୍ୟ ତା’ର କାନଯୋଡ଼ିକ ଆଉ ଭଲ ହେଲାନାହିଁ । ସେହିଦିନଠାରୁ ବଡ଼ ଝିଅର ନାଁ କନକବତୀ ଓ ସାନ ଝିଅର ନାମ କୁରୂପା ହେଲା । କନକବତୀ ବାହାସାହା ହୋଇ ସୁଖରେ ଘର ଦୁଆର କରି ରହିଲା । କୁରୂପା ଆଉ ଲାଜରେ ପଦାକୁ ବାହାରି ପାରିଲା ନାହିଁ ।

Image

 

କୁହୁକ ଝାଡ଼ୁ, ହଂସ ଓ ବେଙ୍ଗ କଥା

 

ଏକଦା ସାଧୁଚରଣ ନାମରେ ଏକ ବୃଦ୍ଧ ଓ କେତକୀ ନାମରେ ଏକ ବୃଦ୍ଧା ଥିଲେ । ସେମାନେ ନିଃସନ୍ତାନ ଓ ଅତ୍ୟନ୍ତ ଗରିବ ଥିଲେ । ଗୋଟିଏ ଛୋଟ କୁଡ଼ିଆରେ ସେମାନେ ବସବାସ କରୁଥିଲେ । କୁଡ଼ିଆଟିକୁ ଲାଗି ଗୋଟିଏ ଛୋଟ ବଗିଚା ଥିଲା । ବଗିଚାରେ କେତୋଟି ଫଳଗଛ ଥିଲା । ତହିଁର ଫଳ ଉତ୍ପାଦନ କରି ଯାହା ଉପାର୍ଜନ ହେଉଥିଲା, ତହିଁରେ ଦୁଃଖ କଷ୍ଟରେ ଚଳୁଥିଲେ-

 

ଦିନେ ରାତିରେ ପ୍ରବଳ ବର୍ଷା ଆଉ ଝଡ଼ ହେବା ଫଳରେ ଫଳଗଛ ସବୁ ଉପୁଡ଼ି ତଳେ ପଡ଼ିଗଲା ଏହା ଦେଖି ସାଧୁଚରଣ ଅତ୍ୟନ୍ତ ଦୁଃଖିତ ହୋଇ କେତକୀକୁ କହିଲା—‘‘ଏବେ ଭୋକରେ ମରିବା ଛଡ଼ା ଉପାୟ ନାହିଁ । ଚାଲ ଆମେ ଯାଇ ବତାସର ମା’ସହିତ ସାକ୍ଷାତ୍‍ କରିବା, ହୁଏତ ସେ କୌଣସି ଉପାୟରେ ଆମର ଅଭାବ ଦୂର କରିପାରନ୍ତି ।’’ ଏତକ କହି ସେ କେଇଖଣ୍ଡ ରୁଟିଧରି ଯାତ୍ରା କଲା । ବତାସର ମା’ସହିତ ସାକ୍ଷାତ ନ ହେବାଯାଏ ସେ ନାକସିଧା ଚାଲିବାରେ ଲାଗିଥାଏ-। ଶେଷରେ ବୁଢ଼ା ବତାସର ମା’ ପାଖରେ ପହଞ୍ଚି ତାଙ୍କୁ ନମସ୍କାର କଲା । ପ୍ରତିନମସ୍କାର କରି ବତାସର ମା’ ବୁଢ଼ାକୁ ଆସିବାର କାରଣ ପଚାରିଲା । ବୁଢ଼ାଟି କହିଲା—‘‘ମୁଁ ଆପଣଙ୍କ ପାଖକୁ ଆପଣଙ୍କ ପୁଅ ନାମରେ ନାଲିଶ କରିବା ପାଇଁ ଆସିଛି । କାଲି ରାତିରେ ମୋର ବଗିଚାର ସମସ୍ତ ଫଳଗଛକୁ ସେ ଉପାଡ଼ି ପକାଇଛନ୍ତି । ମୋର ଗୁଜୁରାଣ ମେଣ୍ଟାଇବା ପାଇଁ ଆଜି ଗୋଟିଏ ବି ଫଳଗଛ ନାହିଁ । ଏହି କାରଣରୁ ମୁଁ ଆପଣଙ୍କ ପାଖକୁ ଆସିଛି ଯେପରି ଆପଣ ମୋତେ କିଛି ସାହାଯ୍ୟ ଦେଇ ମୋର ଅଭାବ ଦୂର କରିବେ ।’’ ବତାସର ମା’ କହିଲେ, ‘‘ମୁଁ ତୁମକୁ ଗୋଟିଏ କୁହୁକ ଝାଡ଼ୁ ଦେଉଛି ଏହା ଫଳରେ ତୁମକୁ କୌଣସି କାମ କରିବାକୁ ପଡ଼ିବ ନାହିଁ । କିନ୍ତୁ ଝାଡ଼ୁଟିକୁ ଅତି ସାବଧାନରେ ରଖିବ ।’’ ଏତକ କହି ବତାସର ମାଆ ସିନ୍ଦୁକ ପାଖକୁ ଯାଇ ଝାଡ଼ୁଟିଏ ବାହାର କରି ଆଣି କହିଲେ, ‘‘କୌଣସି ଜିନିଷର ଦରକାର ହେଲେ ଏହି ଝାଡ଼ୁଟିକୁ ଆଦେଶ କରିବାମାତ୍ରେ ସବୁ ଆପେ ଆପେ ପହଞ୍ଚିଯିବ ।’’ କୁହୁକ ଝାଡ଼ୁଖଣ୍ଡକ ନେଇ ବୁଢ଼ାଟି ବତାସର ମାଆଙ୍କୁ ନମସ୍କାର ଜଣାଇ ବାହାରି ପଡ଼ିଲା, ଚାଲୁ ଚାଲୁ ରାସ୍ତାରେ ବୁଢ଼ାକୁ ଖୁବ୍‌ ଭୋକ ହେଲା, ଶୋଷରେ ପାଟି ମଧ୍ୟ ଲାଗିଆସିଲା । ପବନର ମାଆ ଦେଇଥିବା ଝାଡ଼ୁଟି କଥା ମନେପଡ଼ିବା ମାତ୍ରକେ ସେ ଝାଡ଼ୁଟିକୁ ହାତରେ ଧରି ଖାଇବା ପିଇବା ଜିନିଷ ପାଇଁ ଆଦେଶ ଦେଲା । ଆଦେଶ ମାତ୍ରକେ ଅନେକ ରକମର ସୁସ୍ୱାଦୁ ଖାଦ୍ୟପଦାର୍ଥ ଓ ସୁଶୀତଳ ପାନୀୟ ଜଳ ତା’ଆଗରେ ଥୁଆ ହୋଇଗଲା । ବୁଢ଼ା ମନେ ମନେ ଖୁବ୍ ଖୁସି ହେଲା ଓ ଗଛତଳେ ବସି ତୃପ୍ତିରେ ଖାଇଲା ଏବଂ ଝାଡ଼ୁ ଖଣ୍ଡକ ହାତରେ ଧରି ଗୀତ ଗାଇଗାଇକା ଗାଁଆଡ଼କୁ ମୁହେଁଇଲା । ଘରେ ପହଞ୍ଚି ବୁଢ଼ୀକୁ କୁହୁକ ଝାଡ଼ୁଟି ଦେଖାଇଲା-। ବୁଢ଼ୀ ହତାଶ୍‍ ହୋଇ କହିଲା, ‘‘ତୁମକୁ ଆଉ ବାର ଦୁଆର ଶୁଣ୍ଡିପିଣ୍ଡା ହେବାକୁ ପଡ଼ିବ ନାହିଁ । ଏହି ଝାଡ଼ୁଟିକୁ ଯାହା ଆଦେଶ କରିବ ସାଙ୍ଗେ ସାଙ୍ଗେ ତୁମେ ତାହା ପାଇବ-।’’

 

ବୁଢ଼ାର ଏକ କୁହୁକ ଝାଡ଼ୁକଥା ଏ କାନରୁ ସେ କାନ ହୋଇ ଗାଁର ସମସ୍ତେ ଜାଣିଲେ, ଏହି ଆଶ୍ଚର୍ଯ୍ୟ ଝାଡ଼ୁଟିର କୁହୁକ ଦେଖିବା ପାଇଁ ଗାଁ ସାରା ବୁଢ଼ା ଦୁଆରେ ଆସି ଜମା ହେଲେ । ବୁଢ଼ା ମନଖୁସିରେ ଝାଡ଼ୁକୁ ସୁସ୍ୱାଦୁ ଖାଦ୍ୟ ଓ ପାନୀୟ ପରିବେଷଣ କରିବା ପାଇଁ ଆଦେଶ ଦେଲା-। ସଙ୍ଗେ ସଙ୍ଗେ ଅଗଣା ସାରା ଖାଦ୍ୟପେୟରେ ପରିପୂର୍ଣ୍ଣ ହୋଇଗଲା । ଗାଁ ଲୋକଙ୍କ ସାଥିରେ ବସି ବୁଢ଼ା ବି ଖାଇଲା, ଶେଷରେ ଥକିଯାଇ ସେଇଠି ଶୋଇପଡ଼ିଲା । ବୁଢ଼ା ଶୋଇଯାଇଥିବାର ଦେଖି ଗାଁର ଆଉ ଏକ ସ୍ତ୍ରୀଲୋକ ତା’ ଘରୁ ଗୋଟିଏ ଝାଡ଼ୁ ଆଣି ତାକୁ ବୁଢ଼ା ପାଖରେ ଥୋଇଦେଇ କୁହୁକ ଝାଡ଼ୁଟି ନେଇଗଲା । ସାଧୁଚରଣ ନିଦରୁ ଉଠି ଝାଡ଼ୁଟିକୁ ବୁଢ଼ୀଜିମାରେ ଦେଇଦେଲା । କେତକୀ କହିଲା, ‘‘ବେଶ୍‍ ଭଲ ହେଲା । ମୁଁ ତୋର ବାଟକୁ ଅନେଇ ବସିଥିଲି ।’’ ସାଧୁଚରଣ ହସି ହସି କହିଲା, ‘‘ଏଥର ଆଉ ଚିନ୍ତା ନାହିଁ, ଏହି କୁହୁକ ଝାଡ଼ୁ ଖଣ୍ଡକ ଆମକୁ ସବୁ ଜିନିଷ ଦେବ । ଆମେ ଯାହା ଚାହିଁବା ତାହା ପାଇବା’’ ବୁଢ଼ୀ କେତକୀ ବି ପରୀକ୍ଷା କରିବା ପାଇଁ ଝାଡ଼ୁକୁ ଖାଦ୍ୟ ପଦାର୍ଥ ଯୋଗାଡ଼ କରିବା ପାଇଁ ଆଦେଶ ଦେଲା । ମାତ୍ର କୌଣସି ପଦାର୍ଥ ଆସିଲା ନାହିଁ । ଶେଷରେ ବୁଢ଼ାକୁ ପରିହାସ କରି କହିଲା, ‘‘ଏତେଦିନ ଭୋକଶୋଷରେ ବୁଲି ବୁଲି ଏହି ପୁରୁଣା ଝାଡ଼ୁଟିକୁ ଆଣିଛ ଯା’ର କଡ଼ାକର ଦାମ ନାହିଁ । ତୁମ ମୁଣ୍ଡ ଖରାପ ହୋଇଯାଇନି ତ ?’’

 

ବୁଢ଼ା ନିଜେ ବ୍ୟସ୍ତ ଥିବାରୁ କ’ଣ କରିବ ଭାବିପାରିଲା ନାହିଁ । ଶେଷରେ ବତାସର ମାଆ ପାଖକୁ ପୁନର୍ବାର ଯିବା ପାଇଁ ସ୍ଥିର କଲା ।

 

ପରଦିନ ସକାଳୁ ଉଠି ସେ ଝାଡ଼ୁ ଖଣ୍ଡିକ ନେଇ ଯାତ୍ରା କଲା ଏବଂ ଶେଷରେ ଲକ୍ଷ୍ୟସ୍ଥାନରେ ପହଞ୍ଚିଗଲା ।

 

ଆଗରେ ବୁଢ଼ାକୁ ଦେଖି ବତାସର ମାଆ ପଚାରିଲା, ‘‘ଫେରିଆସିଲ କାହିଁକି ?’’ ବୁଢ଼ା କହିଲା, ‘‘ମୋତେ ଝାଡ଼ୁ ବଦଳରେ ଆଉ କିଛି ଦିଅନ୍ତୁ କାରଣ ଏହି ଝାଡ଼ୁର ଗୁଣ ଘରେ ପହଞ୍ଚିବାମାତ୍ରେ ଶେଷ ହୋଇଗଲା । ‘‘ବତାସର ମାଆ କହିଲା—‘‘ମୋର ବିଶ୍ୱାସ ଏଥିରେ ଆଉ କିଛ ରହସ୍ୟ ରହିଛି—ଆଚ୍ଛା ଏଥର ମୁଁ ତୁମକୁ ଗୋଟିଏ ହଂସ ଦେଉଛି । ତାକୁ ଯାହା କହିବ, ସେ ସେଇୟା ଦେବ । କିନ୍ତୁ ଚୋରଙ୍କ ହାତରୁ ଏହାକୁ ରକ୍ଷା କରିବ ଏବଂ ଆଉଥରେ ଏଠାକୁ ଫେରିଆସିବ ନାହିଁ ।’’

 

ବତାସର ମାଆ ଭଣ୍ଡାର ଘର ମଧ୍ୟକୁ ଯାଇ ହଂସକୁ ଆଣି ବୁଢ଼ା ସାଧୁଚରଣ ହାତରେ ଦେଲା । ବୁଢ଼ା ଧନ୍ୟବାଦ ଜଣାଇ ଫେରିଆସିଲା । ବାଟରେ ସେ ହଂସଟିକୁ ପରୀକ୍ଷା କରିବା ପାଇଁ ଭୂଇଁ ଉପରେ ରଖି ତାହାର ଲାଞ୍ଜ ପାଖରେ ଏକ ପିଆଲା ରଖି କହିଲା—‘‘ହଂସ ! ହଂସ ଟଙ୍କା ଦେ-।’’ ସଙ୍ଗେ ସଙ୍ଗେ ଗୁଡ଼ାଏ ଟଙ୍କା ଜମା ହୋଇଗଲା—ପୁଣି ସୁନା ମାଗିବା ମାତ୍ରକେ ସୁନା ମୁଣ୍ଡାଟିଏ ପଡ଼ିଲା । ବୁଢ଼ା ସୁନା ଟଙ୍କାତକ କାନିରେ ବାନ୍ଧି ରଖି ହଂସକୁ ନେଇ ଘରମୁହାଁ ହେଲା । ଆଗଭଳି ସେ ଯେତେବେଳେ ଗାଁରେ ପହଞ୍ଚିଲା ସେତେବେଳେ ଗାଁ ଲୋକେ ତାକୁ ଘେରିଗଲେ ଆଉ ପଚାରିଲେ; ‘‘ଏଥର କଅଣ ଆଣିଛ ?’’ ବୁଢ଼ା କହିଲା, ‘‘ଏଥର ଆଗଠାରୁ ଭଲ ଜିନିଷ ଆଣିଛି ।’’ ସେ ହଂସଟିକୁ ଦେଖେଇ ସବୁକଥା କହିଲା ହେଲେ ତା’ କଥାକୁ କେହି ବିଶ୍ୱାସ କଲେ ନାହିଁ । କହିଲେ, ‘‘ତୁମେ ମିଛ କହୁଛ, ଯଦି ତୁମ କଥା ସତ ତେବେ ଆମକୁ ଦେଖାଅ ।’’ ବୁଢ଼ା ଖିଆପିଆ ଶେଷକରି କୁହୁକ ହଂସଟିକୁ ସମସ୍ତଙ୍କ ଆଗରେ ସୁନା ଓ ଟଙ୍କା ଦେବା ପାଇଁ କହିଲା । ‘‘ବୁଢ଼ା ଆଦେଶ ମାତ୍ରକେ ଟଙ୍କା ଓ ସୁନା ଗଦା ହୋଇଗଲା । ବୁଢ଼ା ସବୁଯାକ ଟଙ୍କା ଓ ସୁନା ବାଣ୍ଟିଦେଇ ମନ ଖୁସିରେ ଦୁଇ-ତିନି ବୋତଲ ମଦପିଇ ଶୋଇପଡ଼ିଲା । ବୁଢ଼ା ଶୋଇ ପଡ଼ିଥିବାର ଦେଖି ପୂର୍ବରୁ ଝାଡ଼ୁ ନେଇଥିବା ସ୍ତ୍ରୀଲୋକଟି ଆଉ ଗୋଟିଏ ହଂସ ରଖିଦେଇ କୁହୁକ ହଂସଟିକୁ ନେଇଗଲା ।

 

ବହୁତ ସମୟ ପରେ ବୁଢ଼ା ନିଦରୁ ଉଠି ହଂସଟି ନେଇ ମନଖୁସିରେ ଘରେଯାଇ ପହଞ୍ଚିଲା । ବୁଢ଼ୀ ପରିହାସ କରି କହିଲା—‘‘ଏଥର କଅଣ ଆଣିଛ ?’’ ବୁଢ଼ା ମୁଣାରୁ ଗୁଡ଼ାଏ ଟଙ୍କା ଏବଂ ସୁନା ନେଇ ମେଜ ଉପରେ କୁଢ଼େଇ ଦେଲା । ଟଙ୍କା ଓ ସୁନା ପାଇ ବୁଢ଼ୀ ପଚାରିଲା, ‘‘ତୁମେ ଏତେଗୁଡ଼ିଏ ଟଙ୍କା ଓ ସୁନା କେଉଁଠୁ ପାଇଲ ? ସାଧୁଚରଣ କହିଲା—, ‘‘ଏଇ ହଂସଟିକୁ ଯେତେ ଟଙ୍କା ଓ ସୁନା ମାଗିବ ସେତେ ପାଇବ ।’’ ଏହା ଶୁଣି ବୁଢ଼ୀ ହଂସଟିକୁ ସୁନା ଓ ଟଙ୍କା ଦେବା ପାଇଁ କହିଲା । ମାତ୍ର ଏଥର ମଧ୍ୟ ହଂସଠାରୁ କିଛି ମିଳିଲା ନାହିଁ । ଏଥିରେ ବୁଢ଼ୀ ହସିବାକୁ ଲାଗିଲା । ସାଧୁଚରଣ ଲଜ୍ଜିତ ହୋଇ ମନେ ମନେ ଭାବିଲା, ‘‘ବତାସର ମାଆ ଆମକୁ ଗରିବ ଦେଖି ଆମ ସହିତ ଛଳନା କରୁଛନ୍ତି, ଏଣୁ ଶେଷଥର ପାଇଁ ବତାସର ମାଆ ପାଖକୁ ଯିବାକୁ ପଡ଼ିବ ।’’

 

ପରଦିନ ସକାଳେ ହଂସକୁ ନେଇ ବୁଢ଼ା ସାଧୁଚରଣ ବତାସର ମାଆ ନିକଟରେ ପହଞ୍ଚିଲା । ବୁଢ଼ା ଆସିବାର ଦେଖି ବତାସର ମାଆ ଅସନ୍ତୁଷ୍ଟ ହୋଇ କହିଲେ, ‘‘ମୁଁ ତୁମକୁ ବାରମ୍ବାର ଏଠାକୁ ଆସିବାକୁ ମନା କରିଥିବା ସତ୍ତ୍ୱେ ପୁନରାୟ ଆସିଲ କାହିଁକି ?’’

 

ବୁଢ଼ା କହିଲା ଯେ ମୋର ଏଠାକୁ ନ ଆସି ଉପାୟ କାହିଁ ? ଆପଣ ଝାଡ଼ୁପରି ଯେଉଁ ହଂସ ଦେଇଥିଲେ, ତାହା ମଧ୍ୟ କୌଣସି କାମକୁ ଆସିଲା ନାହିଁ । ଘରେ ପହଞ୍ଚି ସମସ୍ତଙ୍କ ପାଖରେ ହାସ୍ୟାସ୍ପଦ ହେବାକୁ ପଡ଼ିଲା ।

 

ବତାସର ମାଆ ସବୁ ଜାଣିପାରି କହିଲେ, ମୁଁ ଜାଣେ ତୁମେ ମଦ ପିଇ ମାତାଲ ହୋଇଥିବା ସମୟରେ ତୁମର ଜିନିଷ ବଦଳାଇ ଦିଆଯାଏ । ଏଣୁ ଏଥର ତୁମକୁ ଏକ ସାଧାରଣ ଜିନିଷ ଦେଉଛି—ତାହା ହେଉଛି ଏକ ଠେଙ୍ଗା । ଏହା କହି ସେ ଗୋଟିଏ ଠେଙ୍ଗା ବାହାର କରି କହିଲେ, ‘‘ହେ ଠେଙ୍ଗା ତୋର ଖେଳ ଦେଖା ।’’ ତତ୍‍କ୍ଷଣାତ୍‌ ଠେଙ୍ଗାମାଡ଼ ସବୁଆଡ଼ୁ ବୁଢ଼ା ଉପରେ ପଡ଼ିଲା । ଠେଙ୍ଗା ମାଡ଼ ଏପରି ଜୋରରେ ପଡ଼ିବାକୁ ଲାଗିଲା ଯେ ବୁଢ଼ା ବଡ଼ ବ୍ୟସ୍ତ ହୋଇପଡ଼ି କହିଲା—‘‘ଦୟାକରି, ଆପଣଙ୍କ ଠେଙ୍ଗା ଫେରାଇ ନିଅନ୍ତୁ ।’’ ବତାସର ମାଆଙ୍କ ଆଜ୍ଞାମାତ୍ରେ ଠେଙ୍ଗା ମାଡ଼ ବନ୍ଦହେଲା । ବତାସର ମାଆ କହିଲେ, ‘‘ଏହାକୁ ସଙ୍ଗରେ ନେଇଯାଅ, ତୁମର ମିଜାଜ୍‌ ଠିକ୍‌ କରିବା ପାଇଁ ଏହାହିଁ ଲୋଡ଼ା ।’’ କିନ୍ତୁ ବୁଢ଼ା ଠେଙ୍ଗା ପାଇ ଖୁସି ହେଲାନାହିଁ । ତଥାପି ଠେଙ୍ଗା ନେଇ ବତାସର ମାଆକୁ ଧନ୍ୟବାଦ ଦେଇ ବାହାରିଗଲା । ଅଧା ବାଟରେ ପହଞ୍ଚି ସେ ଠେଙ୍ଗାର କରାମତି ପରୀକ୍ଷା କରିବା ପାଇଁ ମନବଳାଇ କହିଲା । ‘‘ଠେଙ୍ଗା ତୋର ଖେଳ ଦେଖା ।’’ ତତ୍‌କ୍ଷଣାତ୍‌ ଠେଙ୍ଗାର ମାଡ଼ ଆଖପାଖ ଗଛପତ୍ର ଉପରେ ପଡ଼ିବାକୁ ଲାଗିଲା । ଡାଳସବୁ ଭାଙ୍ଗି ତଳେ ପଡ଼ିଗଲା । ଏହା ଦେଖି ବୁଢ଼ା ଭାବିଲା—‘‘ଏଥର ବତାସର ମାଆ ମୋତେ ଭଲ ଜିନିଷଟିଏ ଦେଇଛନ୍ତି । ଏହା ଏଣିକି ଭଲ କାମରେ ଆସିବ ।

 

ସେ ଗାଁ ପାଖରେ ପହଞ୍ଚିବା ମାତ୍ରକେ ପୂର୍ବପରି କୁହୁକ ଦେଖିବା ପାଇଁ ଲୋକେ ଜମାହେଲେ ସାଧୁଚରଣ ଏଥର ତାହାର କରାମତି ଦେଖାଇବା ପାଇଁ ଠେଙ୍ଗାକୁ କହିଲା, ‘‘ଠେଙ୍ଗାରେ ଠେଙ୍ଗା ! ତୋର ଖେଳ ଦେଖା ।’’ ତତ୍‌କ୍ଷଣାତ୍‌ ଠେଙ୍ଗା ମାଡ଼ ଲୋକମାନଙ୍କ ପିଠି, ଆଖି, ନାକ, ମୁହଁ ଉପରେ ପଡ଼ିଲା । ଏତେ ମାଡ଼ ପଡ଼ିଲା ଯେ କାହାକୁ ନିଶ୍ୱାସ ମାରିବାକୁ ତର ସହିଲା ନାହିଁ । ସେମାନେ କାନ୍ଦି ବୋବେଇ କ୍ଷମା ମାଗିବାକୁ ଲାଗିଲେ—ମାତ୍ର ତାଙ୍କ କଥାରେ କାନ ନ ଦେଇ ବୁଢ଼ା କହିଲା—, ‘‘ତୁମେ ସବୁ ଚୋର, ମୋର ଝାଡ଼ୁ ଓ ହଂସ ଶୀଘ୍ର ବାହାରକର ନୋହିଲେ ଠେଙ୍ଗା ମାଡ଼ରେ ଏକବାରେ ଜୀବନ ବାହାରି ଯିବ ।’’ ଲୋକମାନେ କହିଲେ, ‘‘ଦୟାକରି ଆମର ଜୀବନ ରକ୍ଷା କର । ତୁମ ଜିନିଷ ଫେରାଇଦେବୁ । ତା’ପରେ ବୁଢ଼ାର ଆଦେଶରେ ଠେଙ୍ଗା ମାଡ଼ ବନ୍ଦ ହୋଇଗଲା ।’’

 

ଲୋକମାନେ ସଙ୍ଗେ ସଙ୍ଗେ ତାହାର ଅସଲ ଝାଡ଼ୁ ଓ ହଂସ ଫେରାଇ ଦେଲେ । ବୁଢ଼ା ସେସବୁ ନେଇ ଧନ୍ୟବାଦ ଜଣାଇ ଘରକୁ ଫେରିଗଲା । କେତକୀ ବୁଢ଼ୀ ସାଧୁଚରଣକୁ ଦୂରରୁ ଆସୁଥିବାର ଦେଖି ଘରେ ପହଞ୍ଚିବାମାତ୍ରେ କହିଲା—‘‘ଏଥର ନିଶ୍ଚୟ କିଛି ଆଶ୍ଚର୍ଯ୍ୟ ଧରଣର ଜିନିଷ ନେଇ ଫେରିଥିବ ?’’ ବୁଢ଼ା କହିଲା, ଏଥର ଏ ଠେଙ୍ଗାଟି ଆଣିଛି । ଏହା ସାଧାରଣ ଜିନିଷ ନୁହେଁ-। ଆସ ମୁଁ ତୁମକୁ ଏହାର କରାମତି ଦେଖାଏ, ଏହା କହି ସେ ଠେଙ୍ଗାକୁ ମାଡ଼ ମାରିବା ପାଇଁ ଆଦେଶ ଦେଲା । ସଙ୍ଗେ ସଙ୍ଗେ ଠେଙ୍ଗା ମାଡ଼ ବୁଢ଼ୀ ଉପରେ ପଡ଼ିଲା । ବୁଢ଼ୀ ଏଆଡ଼େ ସେଆଡ଼େ ଦୌଡ଼ିବାରେ ଲାଗିଲା ଓ ବୁଢ଼ା ଉପରେ ରାଗିଯାଇ ଗାଳି ଦେବାକୁ ଲାଗିଲା । ଏଥିରେ ବୁଢ଼ା ମେଜ ଉପରେ ଝାଡ଼ୁଟି ଥୋଇ କହିଲା, ‘‘ଝାଡ଼ୁରେ ଝାଡ଼ୁ ମେଜ ଉପରେ ଖାଇବା ଜିନିଷ ଭରି ଦେ । ଆଖି ପିଛୁଳାକେ ମେଜଟି ସୁସ୍ୱାଦୁ ଖାଦ୍ୟ ପଦାର୍ଥରେ ପୂରିଗଲା ।’’ ଏହା ଦେଖି ବୁଢ଼ୀ ଖୁବ୍‌ ଖୁସି ହେଲା । ଦୁହେଁ ମନ ପୂରାଇ ଖାଇଲେ । ଖାଇବା ଶେଷ କରି ବୁଢ଼ା ହଂସକୁ କହିଲା, ‘‘ହଂସରେ ହଂସ ସୁନା ଦେ ।’’ ତତ୍‌କ୍ଷଣାତ୍ ବିଛଣା ସୁନା ଓ ଟଙ୍କାରେ ଭରିଗଲା । ବୁଢ଼ୀ ଏତେ ଅଧିକ ସୁନା ଓ ଟଙ୍କା କେବେହେଲେ ଦେଖିନଥିଲା । ସେ ଖୁସିରେ କହିଲା—, ‘‘ଏବେ ମାନୁଛି, ତୁମେ ନିପଟ ବୋକା ନୁହଁ-। ତୁମରି ବୁଦ୍ଧି ଯୋଗୁଁ ଆମକୁ ଏବେ ପ୍ରତିଦିନ ଭଲ ଖାଇବା ପିଇବା ମିଳିବ । ଏହା କହି ଝାଡ଼ୁ ଓ ହଂସକୁ ନେଇ ସିନ୍ଦୁକ ଭିତରେ ବନ୍ଦ କରିଦେଲା । କିନ୍ତୁ ବୁଢ଼ା ଠେଙ୍ଗାଟି ଆପଣା ପାଖରେ ରଖିଲା ଯେପରି ଦରକାର ବେଳେ କାମରେ ଆସିବ ।

Image

 

ତିନି ରାଜକନ୍ୟା କଥା

 

ପୁରାକାଳରେ ଗୋଟିଏ ସୁଚତୁର ଅନାଥ ବାଳକ ଥିଲା । ବାଳକଟି ଖୁବ୍ ସୁନ୍ଦର ବଂଶୀ ବଜାଇ ପାରୁଥିଲା । ଲୋକେ ବାଳକଟିର ସୁମଧୁର ବଂଶୀ ବାଦନରେ ମୁଗ୍‌ଧ ହୋଇ ତାକୁ ପଇସାଏ ଅଧଲାଏ ଦେଉଥିଲେ । ସେ ସମଗ୍ର ଦେଶରେ ବଂଶୀବାଦକ ନାମରେ ପରିଚିତ ଥିଲା, ଏବଂ ତାହାର ଖ୍ୟାତି ଗୋଟାଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ଯାଏ ବ୍ୟାପିଥିଲା ।

 

ଦିନେ ସେ ବୁଲୁ ବୁଲୁ ଗୋଟାଏ ନଦୀକୂଳରେ ବାଲି ଉପରେ ମାଛଟିଏ ହାଲିଆ ହୋଇ ପଡ଼ିଥିବାର ଦେଖିଲା । ମାଛଟି ପାଣି ଭିତରକୁ ଚାଲି ଯିବା ପାଇଁ ବହୁତ ଚେଷ୍ଟା କରୁଥିଲା, କିନ୍ତୁ ଥକି ପଡ଼ିଥିବାରୁ ଦରମରା ହୋଇ ପଡ଼ି ରହିଥିଲା ।

 

ମାଛ ବାଳକଟିକୁ ତା’ଆଡ଼କୁ ଆସୁଥିବାର ଦେଖି ନମସ୍କାର ଜଣାଇଲା । ବଂଶୀ ବାଦକ ପ୍ରତି ନମସ୍କାର କଲା ।

 

ମାଛଟି କହିଲା—‘‘ତୁମେ କ’ଣ ମୋତେ ଟିକିଏ ସାହାଯ୍ୟ କରିବ ?’’

 

ବଂଶୀ ବାଦକ କହିଲା—‘‘କାହିଁକି ସାହାଯ୍ୟ କରିବି ନାହିଁ ? ମୋଦ୍ୱାରା ଯାହା ହୋଇପାରିବ ତାହା ମୁଁ ନିଶ୍ଚୟ କରିବି-।’’

 

ମାଛଟି କହିଲା—‘‘କଥାହେଉଛି ମୁଁ ଖେଳୁ ଖେଳୁ ନଈବାଲି ଉପରକୁ ବହୁତଦୂର ଯାଏ ଚାଲିଆସିଲି ପୁଣି ଏତେ ହାଲିଆ ହୋଇପଡ଼ିଲି ଯେ ଆଉ ନଈକୁ ଫେରିଯାଇ ପାରୁନାହିଁ, ତେଣୁ ମୋତେ ସାହାଯ୍ୟ କର ଓ ମୋତେ ଦୟାକରି ନଦୀରେ ନେଇ ଛାଡ଼ିଆସ । ଭବିଷ୍ୟତରେ ସୁଯୋଗ ଆସିଲେ ମୁଁ ବି ତୁମର ସେବା କରିବି ।’’

ଏହା ଶୁଣି ବଂଶୀ ବାଦକ ହସି ହସି କହିଲା—ବର୍ତ୍ତମାନ ମୋର ସେବା କରିବା କଥା, କିନ୍ତୁ ତୁମେ କ’ଣ କେବେ ହେଲେ ମୋର ସାହାଯ୍ୟରେ ଆସିପାରିବ ?’’

ମାଛଟି କହିଲା—‘‘କେଜାଣି ଯଦି କେବେ ସୁଯୋଗ ମିଳେ ।’’ ବଂଶୀବାଦକ ମାଛକୁ ନେଇ ନଈରେ ଛାଡ଼ିଦେଲା ଓ ନିଜ ବାଟରେ ଚାଲିଗଲା । ବଂଶୀ ବଜାଇ ଯାଉ ଯାଉ କିଛିଦୂର ଗଲାପରେ କେହିଜଣେ ତାହାକୁ ନମସ୍କାର କରିବାର ଶୁଣାଗଲା । ଚାରିଆଡ଼କୁ ଚାହିଁ ବାଳକଟି ଆପଣା ପାଦତଳେ ଆହତ ଅବସ୍ଥାରେ ହଲଚଲ ନ ହୋଇ ପଡ଼ି ରହିଥିବା ପିମ୍ପୁଡ଼ିଟି ଦେଖି ନମସ୍କାର ଜଣାଇଲା ।

ପିମ୍ପୁଡ଼ି କହିଲା—‘‘ତୁମେ ମୋର ସାମାନ୍ୟ ସାହାଯ୍ୟ କଲେ ମୁଁ ଉପକୃତ ହେବି ।’’

ବଂଶୀବାଦକ କହିଲା, ‘‘କାହିଁକି ନ କରିବି ? ମୋ’ଦ୍ୱାରା ଯେତିକି ସମ୍ଭବ ତାହା ମୁଁ କରିବି-।’’

ପିମ୍ପୁଡ଼ି କହିଲା—‘‘ମୁଁ ଆହତ ଆଉ ଚାଲିବାରେ ଅକ୍ଷମ । ତୁମେ ଦୟା ନ କଲେ ଏହିଠାରେ ହିଁ ମୃତ୍ୟୁବରଣ କରିବି । ମୁଁ ଅନୁରୋଧ କରୁଛି ମୋତେ ଟିକିଏ ନେଇ ମୋ ଘରେ ପହଞ୍ଚାଇ ଦିଅ । ମୁଁ କେବେହେଲେ ତୁମର ଉପକାରରେ ଆସିବି । ବାଳକଟି କହିଲା—‘‘ତୋ ଦ୍ୱାରା ମୋର କେଉଁ ଉପକାର ହେବ ?’’

ପିମ୍ପୁଡ଼ି କହିଲା—‘‘କିଏ ଜାଣେ କେବେ ସୁଯୋଗ ପଡ଼ିପାରେ ।’’ ବଂଶୀ ବାଦକ ତାହାକୁ ଉଠାଇ ମାଛକୁ ପାଣିରେ ନେଇ ଛାଡ଼ିଲା ପରି ତାକୁ ବିଲରେ ନେଇ ପହଞ୍ଚାଇ ଦେଲା ଓ ଆପଣା ବାଟରେ ଚାଲିଗଲା । କିଛିବାଟ ଗଲାପରେ ଗୋଟାଏ ମହୁମାଛି ସହିତ ପିଲାଟିର ସାକ୍ଷାତ୍‍ ହେଲା-

ମହୁମାଛି ବଂଶୀ ବାଦକକୁ ନମସ୍କାର କଲା ବାଳକଟି ପ୍ରତି ନମସ୍କାର କଲା ।

ମହୁମାଛି କହିଲା—‘‘ତୁମେ କ’ଣ ମୋତେ ସାମାନ୍ୟ ସାହାଯ୍ୟ କରିପାରିବ ?’’

ବାଳକଟି କହିଲା—କାହିଁକି କରିବି ନାହିଁ ? ଯାହା ମୋ ଦ୍ୱାରା ହୋଇପାରିବ ତାହା ନିଶ୍ଚୟ କରିବି ।’’

ମହୁମାଛି କହିଲା—‘‘ମୋର ଗୋଟିଏ ଡେଣା ଭାଙ୍ଗିଯାଇଛି, ମୁଁ ଉଡ଼ିପାରୁନାହିଁ । ଦୟାକରି ମୋତେ ମୋର ମହୁବସାରେ ଛାଡ଼ି ଦେଇ ଆସ । ହୁଏତ ଦିନେ ମୁଁ ମଧ୍ୟ ତୁମର ଉପକାରରେ ଆସିବି ।’’

ବାଳକଟି କହିଲା—‘‘ତୁମେ ଏତେ ଛୋଟ ତୁମେ କ’ଣ ମୋର ଉପକାର କରିବ ?’’

ମହୁମାଛି କହିଲା—‘‘କିଏ କହିବ, ମନୁଷ୍ୟକୁ ସବୁପ୍ରକାର ଅବସ୍ଥା ମଧ୍ୟରେ ଗତି କରିବାକୁ ପଡ଼େ ।’’ ବଂଶୀ ବାଦକ ନଇଁପଡ଼ି ମହୁମାଛିଟିକି ଉଠାଇ ତା’ ବସାରେ ଛାଡ଼ିଦେଇ ଆପଣା ବାଟରେ ଗଲା ।

ବାଳକଟି ଚତୁରତା ସହିତ ସବୁ କାମ କରିଯାଉଥିଲା ଏବଂ ପ୍ରତ୍ୟେକ କାମରେ ସଫଳ ହେଉଥିଲା । ଏହା ଦେଖି ଲୋକଙ୍କ ଧାରଣା ହେଲା ଯେ ସେ କୁହୁକ ଜାଣେ ଏବଂ କୁହୁକ ବଳରେ ସବୁ କାମ କରିପାରେ । ଶେଷରେ ପିଲାଟିର ସୁନାମ ରଜାଙ୍କ କାନରେ ଯାଇ ପହଞ୍ଚିଲା; ରାଜା ତାହାକୁ ଡକେଇ ପଠେଇଲେ ।

ବଂଶୀବାଦକ ଏ ଖବର ପାଇ ବହୁତ ଆଶ୍ଚର୍ଯ୍ୟ ହେଲା ଏବଂ ଆଶଙ୍କାରେ ଭୟଭୀତ ହୋଇପଡ଼ିଲା । ତଥାପି ରଜାଙ୍କ କଥା ଅମାନ୍ୟ କରିବା ଅନୁଚିତ୍‌ ଏହା ଚିନ୍ତାକରି ରାଜଦରବାରରେ ଯାଇ ଉପସ୍ଥିତ ହେଲା । ରାଜା ତାହାକୁ ଦେଖି କହିଲେ—‘‘ମୁଁ ପ୍ରଜାଙ୍କ ମୁଖରୁ ଶୁଣିଲି ଯେ ତୁମଠାରେ ଏକ ଅଦ୍ଭୁତ ଶକ୍ତି ଅଛି, ଆଉ ତୁମେ ଯାହା ଇଚ୍ଛା କରୁଛ ତାହାହିଁ କାର୍ଯ୍ୟରେ କରିପାରୁଛ-। ମୁଁ ତୁମର ଏ ଶକ୍ତିର ପରୀକ୍ଷା କରିବାକୁ ଚାହେଁ । ଦେଖ ମୋର ହାତରେ ଗୋଟିଏ ଚାବିକାଠି ରହିଛି । ମୁଁ ବର୍ତ୍ତମାନ ଏହାକୁ ନେଇ ନଦୀରେ ନିକ୍ଷେପ କରିଆସିବି, ଯଦି ତୁମେ ଘଣ୍ଟାକ ମଧ୍ୟରେ ଏହା ନଦୀରୁ ବାହାର କରି ଆଣିନପାର ତେବେ ମୃତ୍ୟୁଦଣ୍ଡ ପାଇବ, ଏହାକହି ରାଜା ଉଠି ଅରଣ୍ୟ ସୀମାରେ ବହିଯାଉଥିବା ନଦୀରେ ଚାବିକାଠିଟି ନିକ୍ଷେପ କଲେ ।

 

ବଂଶୀବାଦକ ଭୟପାଇ ନିରାଶ ମନରେ ନଈକୂଳରେ ବୁଲିବାକୁ ଲାଗିଲା । ତାକୁ କିଛି ବୁଦ୍ଧି ଦେଖାଗଲା ନାହିଁ । ଠିକ୍ ଏତିକିବେଳେ ନଈରୁ ରୋହିମାଛଟିଏ ଉଠିଆସି କହିଲା—‘‘ତୁମେ ଏତେ ଦୁଃଖିତ କାହିଁକି ? ତୁମର କ’ଣ ହୋଇଛି ?’’

 

ବଂଶୀବାଦକ କହିଲା—‘‘କାହାରି ସବୁଦିନ ସମାନ ନ ଥାଏ ।’’

 

ରୋହିମାଛ କହିଲା—‘‘ତଥାପି ଦୁଃଖର କାରଣଟାତ କୁହ ?’’

 

ବାଳକ କହିଲା—‘‘କଣ କହିବି, ଏହାତ ଏକ ମସ୍ତବଡ଼ ସମସ୍ୟା । ରଜା ମୋ ଆଗରେ ନଈରେ ଖଜଣାଖାନାର ଚାବି ନିକ୍ଷେପ କରିଛନ୍ତି ଯଦି ଘଣ୍ଟାକ ଭିତରେ ଚାବିଟି ବାହାର କରି ଫେରସ୍ତ ଦେଇନପାରେ ତେବେ ମୋର ମୃତ୍ୟୁ ସୁନିଶ୍ଚିତ । ଏଣୁ ଏପରି ଅବସ୍ଥାରେ କ’ଣ ହସିବା ସମ୍ଭବପର ?’’

 

ରୋହିମାଛ କହିଲା—‘‘ଏ କଥାରେ ମନ କଷ୍ଟ କରିଛ । ମୁଁ ସବୁ ଠିକ୍‌ କରିଦେଉଛି । ଦିନେ ତୁମେ ମୋର ଜୀବନ ରକ୍ଷା କରିଥିଲ । ଆଜି ମୁଁ ତୁମକୁ ସାହାଯ୍ୟ କରି ତୁମର ଜୀବନ ରକ୍ଷା କରିବି ।’’ ଏହା କହି ରୋହିମାଛଟି ପାଣିରୁ ଚାବିକାଠିଟି ଉଠେଇ ଆଣିଲା । କୁବେର ସମ୍ପତ୍ତି ପାଇଲାପରି ବାଳକଟି ଖୁସି ହୋଇପଡ଼ିଲା । ତା’ପରେ ଚାବିକାଠିଟି ନେଇ ରାଜଦରବାରରେ ପହଞ୍ଚିଲା ।

 

ରଜା ଆଶ୍ଚର୍ଯ୍ୟ ହେଲେ । ମନେ ମନେ ପିଲାଟିର ଚତୁରତାକୁ ପ୍ରଶଂସା କରି କହିଲେ, ମୁଁ ପୁଣି ତୁମକୁ ପରୀକ୍ଷା କରିବାକୁ ଚାହେଁ । ଜଙ୍ଗଲରେ ମୁଁ ବସ୍ତାଏ ଶସ୍ୟ ବିଂଛି ଦେଇ ଆସୁଛି । ଘଣ୍ଟାକ ମଧ୍ୟରେ ତୁମେ ତାହା ଗୋଟାଇ ଦେଇ ନ ପାରିଲେ ତୁମକୁ ମୃତ୍ୟୁଦଣ୍ଡ ମିଳିବ, ଦେଖ ବସ୍ତାରେ ଗୋଟିଏ ଦାନା ବି ଯେପରି ନ କମେ । ତାପରେ ଜଙ୍ଗଲରେ ବସ୍ତାଏ ଶସ୍ୟ ବିଂଛି ଦିଆଗଲା । ବଂଶୀ ବାଦକ ବିରଷ ମନରେ ନିଜର ମରଣ ଚିନ୍ତା କରି ଜଙ୍ଗଲରେ ବୁଲିବାକୁ ଲାଗିଲା । ଏତିକିବେଳେ ପିମ୍ପୁଡ଼ିଟିଏ ତା’ ନିକଟକୁ ଆସି ପାଦ ପାଖରେ ଠିଆହୋଇ କହିଲା, ‘‘ବଂଶୀବାଦକ ! ତୁମେ ଅତ୍ୟନ୍ତ ଦୁଃଖିତ ଜଣାଯାଉଛ କାହିଁକି ? କ’ଣ ହେଇଛି ।’’

 

ବାଳକଟି କହିଲା—‘‘ମୋର ଦୁଃଖ ତୁମକୁ ଜଣାଇ ଲାଭ କ’ଣ ?’’

 

ପିମ୍ପୁଡ଼ି କହିଲା—‘‘କହିଲ ଭଲା-ଯାହା ହେବାର କଥା, ଦେଖାଯିବ । ବାଳକଟି ସମସ୍ତ କଥା ଜଣାଇଲା । ପିମ୍ପୁଡ଼ି କହିଲା—‘‘ଏଇ କଥା, ମୁଁ ତୁମକୁ ରକ୍ଷା କରିବି, ତୁମର ନିଶ୍ଚୟ ମନେଥିବ– ଦିନେ ତୁମେ ମୋତେ ସାହାଯ୍ୟ କରି ମୋର ଜୀବନ ରକ୍ଷା କରିଥିଲ । ବର୍ତ୍ତମାନ ମୁଁ ତୁମର ଜୀବନ ରକ୍ଷା କରିବି । ଏହା କହି ପିମ୍ପୁଡ଼ି ନିଜ କାମରେ ଲାଗିଗଲା । ତା’ସହିତ ତା’ ସାଥିଭାଇମାନେ ସମସ୍ତେ କାମରେ ଲାଗିଗଲେ । ସମସ୍ତ ଶସ୍ୟକୁ ପୂର୍ବପରି ବସ୍ତାରେ ଭରିଦେଲେ-। କିଛି ସମୟ ପରେ ରାଜା ଆସି ପିଲାଟିର ପ୍ରଶଂସା କଲେ । ତା’ପରେ କହିଲେ ‘‘ମୋର ତିନିଟି ଝିଅ । ସମସ୍ତଙ୍କ ଚେହେରା ଏକାପରି । ସମୟ ସମୟରେ ସେମାନଙ୍କୁ ମୁଁ ମଧ୍ୟ ଚିହ୍ନି ପାରୁନାହିଁ । ରାଜକୁମାରୀମାନଙ୍କ ମଧ୍ୟରୁ ଜଣେ ତୁମକୁ ଭଲପାଏ ଓ ବିବାହ କରିବାକୁ ଚାହେଁ-। ତୁମେ ଆଜି ମନ୍ଦିରରେ ସେହି ରାଜକୁମାରୀଙ୍କୁ ଚିହ୍ନାଇ ଦେବ, ନ ହେଲେ ମୃତ୍ୟୁ ଦଣ୍ଡ ଦିଆଯିବ ।

 

ଏଥର ବଂଶୀ ବାଦକ ଆହୁରି ଏକ ବିଷମ ସମସ୍ୟାରେ ପଡ଼ିଲା । ବିବାହ କରିବା ତ କିଛି କଠିଣ କଥା ନୁହେଁ, କିନ୍ତୁ କୌଣସି ରାଜକୁମାରୀଙ୍କୁ ସେ ପୂର୍ବରୁ ଦେଖିନାହିଁ । କେଉଁ ରାଜକୁମାରୀ ତା’ର ପ୍ରଣୟପ୍ରାର୍ଥୀ ଚିହ୍ନିବ ବା କିପରି ?

 

ଦୁଃଖରେ ଘରକୁ ଫେରୁଥିବା ସମୟରେ ଏକ ମହୁମାଛି ଉଡ଼ିଆସି ପଚାରିଲା—‘‘କଣ ହୋଇଛି—ମୁହଁ ଶୁଖାଇ କେଉଁଠିକି ଯାଉଛ ?’’

 

ବଂଶୀ ବାଦକ କହିଲା—‘‘ଏମିତି ଗୋଟାଏ ବିଶେଷ ସମସ୍ୟା ନେଇ ହତାଶ୍‍ ହୋଇପଡ଼ିଛି ।

 

ମହୁମାଛି ବାର ବାର ଅନୁରୋଧ କରିବାରୁ ବାଳକ ନିଜର ବିପତ୍ତି ଜଣାଇ କହିଲା–‘‘ମୋତେ କୌଣସି ଉପାୟ ଦେଖାଯାଉନାହିଁ ।’’

 

ମହୁମାଛି କହିଲା—‘‘ତୁମେ ଦିନେ ମୋତେ ସାହାଯ୍ୟ କରି ମୋର ଜୀବନ ରକ୍ଷା କରିଥିଲ, ଆଜି ମୁଁ ତୁମର ଜୀବନ ରକ୍ଷା କରିବି ।’’

 

ଆସନ୍ତାକାଲି ସକାଳେ ମନ୍ଦିରରେ ରାଜା ଓ ରାଜକୁମାରୀମାନେ ପହଞ୍ଚିଲେ, ମୁଁ ତୁମକୁ ଭଲପାଉଥିବା ରାଜକୁମାରୀ ମୁଣ୍ଡ ଉପରେ ଉଡ଼ିବୁଲି ଗୁଞ୍ଜନ କରିବି, ତୁମେ ବୁଝିପାରି ରାଜାଙ୍କୁ କହିବ । ଏତକ କହି ମହୁମାଛି ଚାଲିଗଲା । ବଂଶୀ ବାଦକ ମଧ୍ୟ ତାହାକୁ ଧନ୍ୟବାଦ ଜଣାଇ ଚାଲିଗଲା ।

 

ପରଦିନ ସକାଳେ ରାଜା ଆପଣାର ତିନି ରାଜକୁମାରୀଙ୍କୁ ନେଇ ମନ୍ଦିରରେ ପହଞ୍ଚିଲେ-। ରାଜକୁମାରୀମାନେ ଏକଧରଣର ବେଶ ପୋଷାକରେ ଏକାଭଳି ସୁନ୍ଦର ଦେଖାଯାଉଥିଲେ । ବଂଶୀ ବାଦକ ଭାବିଲା, ଏ ଫୁଲରୁ ସତେ କ’ଣ ମୋ ଭାଗ୍ୟରେ ପାଇବା ରହିଛି ନା ଅସମ୍ଭବ ।

 

ରାଜକୁମାରୀମାନେ ବସିବାମାତ୍ରେ ମହୁମାଛି ଆସି ଜଣକ ମୁଣ୍ଡ ଉପରେ ବୁଲି ଗୁଞ୍ଜନ କରିବାକୁ ଲାଗିଲା । ବଂଶୀ ବାଦକ ସେହି ରାଜକୁମାରୀଙ୍କୁ ରାଜାଙ୍କୁ ଦେଖାଇଦେଲା ।

 

ବଂଶୀ ବାଦକ କହିବାମାତ୍ରେ ମହୁମାଛି ଖୁସି ମନରେ ଗୁଞ୍ଜନ କରୁ କରୁ ଉଡ଼ି ଚାଲିଗଲା-

 

ରାଜା କହିଲେ—‘‘ତୁମେ ଠିକ୍‌ କହିଛ । ଏ ସେହି ରାଜକୁମାରୀ, ତାଙ୍କ ସହିତ ତୁମର ବିବାହ ହେବ ।’’ ଏହିଭଳି ଭାବରେ ବଂଶୀ ବାଦକର ସବୁ ଦୁଃଖ ଦୂର ହୋଇଗଲା । ରାଜକୁମାରୀଙ୍କୁ ବିବାହ କରି ସେ ସୁଖରେ ରହିଲା ।

Image

 

ସୁନ୍ଦରୀ

 

ପ୍ରାଚୀନ କାଳରେ ଏକ ଦମ୍ପତି ବାସ କରୁଥିଲେ, ସେମାନଙ୍କର ତିନିଟି ସନ୍ତାନ । ଦୁଇଟି ପୁଅ ଓ ଝିଅଟିଏ; ଝିଅଟିର ନାମ ସୁନ୍ଦରୀ । ଦୁଇପୁତ୍ର ଥିଲେ ସିଂହଭଳି ବଳବାନ ଓ ସାହାସୀ-। ସୁନ୍ଦରୀ ଥିଲା ପଞ୍ଚଦଶ ବର୍ଷିୟା କିଶୋରୀ । ସେ ଉଷା ଅପେକ୍ଷା ସହସ୍ର ଗୁଣରେ ସୁନ୍ଦରୀ ଥିଲା । ଢେଉଢେଉକା କେଶରେ ବେଣୀ ବାନ୍ଧିବାବେଳେ ଝରିପଡ଼ୁଥିଲା କେରି କେରି ମୋତି । ହାତ ଧୋଇଲାବେଳେ ଝରୁଥିଲା ମାଣିକ୍ୟ । ଭାଇମାନଙ୍କ ସହିତ ସୁନ୍ଦରୀର ଥିଲା ନିବିଡ଼ ସ୍ନେହ ।

ଦିନେ ସେମାନଙ୍କର ମାତା ଇହଧାମରୁ ବିଦାୟ ନେଇଗଲେ । ସେମାନଙ୍କର ପିତା ଏକ ଅସୁନ୍ଦରୀ ଦୁଷ୍ଟା ସ୍ତ୍ରୀଙ୍କୁ ବିବାହ କଲେ । ସାବତମା’ର ନିଜର ଏକ ଝିଅ ଥିଲା ଯେ କି ଆପଣା ମାତାଠାରୁ ବି ଅସୁନ୍ଦରୀ ଓ ଦୃଷ୍ଟା ଥିଲା ।

ଏହା ପରଠାରୁ ସେ ଘରେ ସାବତ ମା’ ଓ ତାହାର କନ୍ୟାଟିର ରାଜତ୍ୱ ଆରମ୍ଭ ହେଲା । ଦୁହେଁ ମିଶି ସୁନ୍ଦରୀ ତଥା ତା’ର ଭାଇମାନଙ୍କ ଉପରେ ଆରମ୍ଭ କଲେ ଅକଥନୀୟ ଅତ୍ୟାଚାର ।

ଶେଷରେ ରାଗିଯାଇ ଦୁଇଭାଇ ସୁନ୍ଦରୀକୁ କହିଲେ, ‘‘ଭଉଣୀ ଦେଖ ଏହି ସାବତ ମାତା ଓ ତାଙ୍କ କନ୍ୟା ମିଳି ଆମକୁ ବହୁତ କଷ୍ଟ ଦେଉଛନ୍ତି । ଏଣୁ ଆମେ ଦୁହେଁ ଆସନ୍ତାକାଲି ଯୁଦ୍ଧକୁ ଚାଲିଯିବୁ । ତୁମେ କଷ୍ଟ ସହ୍ୟ କରି ଧୈର୍ଯ୍ୟଧରି ଘରେ ରୁହ । ଆମେ ରୋଜଗାର କରି ଫେରିଲେ ତୁମକୁ ନେଇ ତୁମର ଇଚ୍ଛାନୁସାରେ ବିବାହ ଦେବୁ । ବର୍ତ୍ତମାନ ତୁମରି ସ୍ମୃତିରୂପରେ ତୁମର ଏକ ପ୍ରତିକୃତି ତିଆରି କରି ନେଇଯାଉଛୁ ।’’ ସୁନ୍ଦରୀ କୌଣସି ପ୍ରତିବାଦ କଲା ନାହିଁ । ତା’ପରେ ବଡ଼ଭାଇ ସୁନ୍ଦରୀର ଏକ ନିଖୁଣ ପ୍ରତିମୂର୍ତ୍ତି ତିଆରି କଲା । ସାନଭାଇ ତାହାର ବାଳ ସଜାଡ଼ି ଦେଇ ସୁନ୍ଦର ପୋଷାକ ପିନ୍ଧେଇ ଦେଲା । ସବୁ କାମ ଶେଷ କରି ଭାଇମାନେ ସୁନ୍ଦରୀଠାରୁ ବିଦାୟ ନେଇ ଯୁଦ୍ଧକୁ ଚାଲିଗଲେ ।

ସୁନ୍ଦରୀ ଗୃହରେ ଏକାକିନୀ ହୋଇଗଲା । ସାବତ ମାତା ଓ ଭଉଣୀଠାରୁ ବହୁ ଅତ୍ୟାଚାର ତାକୁ ସହ୍ୟ କରିବାକୁ ପଡ଼ିଲା । ସୁନ୍ଦରୀ ସମସ୍ତ କଷ୍ଟ ସହ୍ୟ କରି ଧୈର୍ଯ୍ୟଧରି ରହିଲା ଯେ ଭାଇମାନେ ରୋଜଗାର କରି ଫେରିଲେ ତାକୁ ସେଠାରୁ ନେଇଯିବେ ଓ ମନମୁତାବକ ସ୍ୱାମୀ ସହିତ ବିବାହ କରିଦେବେ ।

ସୁନ୍ଦରୀ ଘରେ ବସି ଏମିତି ଭାବୁଥାଏ । ଭାଇମାନେ ସହରକୁ ଯାଇ ସୈନ୍ୟବାହିନୀରେ ଯୋଗଦେଲେ । ଯୁଦ୍ଧରେ ସେମାନଙ୍କ ପରାକ୍ରମ ଓ ସାହସ ଦେଖି ରାଜା ସେମାନଙ୍କୁ ପରମ ବନ୍ଧୁ ଭାବରେ ଗ୍ରହଣ କଲେ । ତଥାପି ସେମାନେ ସୁନ୍ଦରୀ କଥା ଆଦୌ ଭୁଲି ନ ଥିଲେ । ପୁଣି ସୁନ୍ଦରୀର ପ୍ରତିମୂର୍ତ୍ତିକୁ ପ୍ରତ୍ୟହ ସାତଥର ଆଲିଙ୍ଗନ କରୁଥିଲେ ।

ଦିନେ ରାଜକୁମାର ପଚାରିଲେ—‘‘ସାଥି ଏହାତ ଜଣାଅ—ଏହା କାହାର ମୂର୍ତ୍ତି ? ଯାହାକୁ ତୁମ୍ଭେମାନେ ପ୍ରତ୍ୟେହ ସାତଥର ଆଲିଙ୍ଗନ କରୁଛ ?

ଦୁଇଭାଇ କହିଲେ—‘‘ରାଜକୁମାର, ଏ ମୂର୍ତ୍ତିଟି ଆମ ଛୋଟ ଭଉଣୀ ସୁନ୍ଦରୀର । ଯାହାର କେଶବିନ୍ୟାଶରୁ ମୁକୁତା ଝରେ ।

ଏହା ଶୁଣି ରାଜକୁମାର କହିଲେ—‘‘ହେ ମୋର ବନ୍ଧୁଗଣ ଶୁଣ ଯୁଦ୍ଧ ତ ବନ୍ଦ ହୋଇଗଲାଣି । ତୁମ୍ଭେ ଯାଇ ଆପଣା ଭଉଣୀ ସୁନ୍ଦରୀକୁ ନେଇଆସ—କାଲି ମୁଁ ମୋର ସମୁଦ୍ରକୂଳରେ ଥିବା ପ୍ରାସାଦରେ ତୁମ୍ଭମାନଙ୍କୁ ଅପେକ୍ଷା କରି ରହିବି । ଯଦି ଏହା ସତ ହୋଇଥାଏ ତା’ହେଲେ ମୁଁ ତୁମ୍ଭମାନଙ୍କ ଭଉଣୀକୁ ବିବାହ କରିବି । ଯଦି ତୁମକଥା ମିଥ୍ୟା ପ୍ରମାଣିତ ହୁଏ ତେବେ ତୁମ୍ଭମାନଙ୍କୁ ମୃତ୍ୟୁଦଣ୍ଡ ଦିଆହେବ ।

ଦୁଇଭାଇ ରାଜାଦେଶ ଶିରୋଧାର୍ଯ୍ୟ କରି ଘୋଡ଼ାରେ ଚଢ଼ି ଯାତ୍ରା କଲେ ଏବଂ ତିନିଘଣ୍ଟା ମଧ୍ୟରେ ନିଜ ଗ୍ରାମରେ ଯାଇ ପହଞ୍ଚିଲେ । ସେମାନେ ପିତାଙ୍କୁ ନମସ୍କାର ଜଣାଇ ରାଜାଙ୍କ ଆଦେଶ ଜଣାଇଲେ ଏବଂ ରାଜକୁମାର ସୁନ୍ଦରୀକୁ ବିବାହ କରିବା ପାଇଁ ଚାହୁଁଥିବା କଥା କହିଲେ ।

ପିତା କହିଲେ—‘‘ତୁମ୍ଭେମାନେ ଯାହା ଉଚିତ ମନେକରୁଛ ସେୟା କର । ମୋର ସେଥିରେ କୌଣସି ଆପତ୍ତି ନାହିଁ ।’’

ସାବତ ମାତା ଓ ତା’ର କନ୍ୟା ସବୁକଥା ଶୁଣୁଥିଲେ । ସାବତ ମାତା କହିଲେ–‘‘ପିଲାମାନେ ଆମେ ମଧ୍ୟ ତୁମସହିତ ଯିବୁ । ଏ କଥାରେ ଦୁଇଭାଇ ରାଜି ହୋଇଗଲେ । ରାଜକୁମାରଙ୍କ ନିକଟକୁ ଯିବାକଥା—ସେଥି ପାଇଁ ସୁନ୍ଦରୀକୁ ବିବାହ ପୋଷାକ ପିନ୍ଧାଇ ସଜାଇ ଦିଆଗଲା । ଧଳା ରଙ୍ଗର ଜୋତା, ସୁନ୍ଦର ଲୁଗା ଓ ମୁଣ୍ଡରେ ନାରଙ୍ଗୀ ରଙ୍ଗର ଫୁଲର ମୁକୁଟ ପିନ୍ଧାଇ ଦିଆଗଲା । କେବଳ ସାବତ ମାତା ଓ ତାହାର ଝିଅ ପୁରୁଣା ଲୁଗା ପିନ୍ଧି ବାହାରିଲେ ।

ଚାରୋଟି ଧଳା ଘୋଡ଼ା ଯୋଚା ହୋଇଥିବା ଗାଡ଼ିରେ ସମସ୍ତେ ବସିଲେ । ଦୁଇଭାଇ ଚାଳକର ସ୍ଥାନ ଅଧିକାର କଲେ । ଦୁହେଁ ଆଗପଛ ହୋଇ ଗାଡ଼ି ଚଳାଇ ନେଉଥାନ୍ତି । ସାବତ ମା’ ମନରେ ରାଜକୁମାର ସହିତ ନିଜ ଝିଅକୁ ବାହା ଦେବାର ମନ୍ଦ ବୁଦ୍ଧି ଖେଳୁଥାଏ ।

ଦ୍ୱିପ୍ରହରବେଳକୁ ସେମାନେ ସମୁଦ୍ରକୂଳରେ ଆସି ପହଞ୍ଚିଗଲେ । ବଡ଼ଭାଇ ସୁନ୍ଦରୀକୁ କହିଲା—‘‘ସୁନ୍ଦରୀ ଆମେ ତିନିଘଣ୍ଟା ମଧ୍ୟରେ ରାଜକୁମାରଙ୍କ ପ୍ରାସାଦରେ ପହଞ୍ଚିଯିବୁ । ସେଠାରେ ସମୁଦ୍ର ପବନ ଦେହ ଓ ମନ ପ୍ରଫୁଲ୍ଲ କରିଦେବ । ସାବଧାନ ତୁମର ରୂପ ଯେମିତି ସମୁଦ୍ର ପବନର ସ୍ପର୍ଶରେ ରୁକ୍ଷ ହୋଇନପଡ଼େ । ସୁନ୍ଦରୀ ବଡ଼ଭାଇର ପରାମର୍ଶ ଭଲଭାବରେ ଶୁଣିନପାରି, ସାବତ ମା’ଙ୍କୁ ପଚାରିଲା । ସାବତ ମା’ କହିଲେ—‘‘ବଡ଼ଭାଇ କହିଲେ, ତୁ ଆପଣାର ଧଳା ରଙ୍ଗର ଯୋତାଟି ଆପଣାର ଭଉଣୀକୁ ଦେଇ ତା’ର ପୁରୁଣା ଜୋତା ପିନ୍ଧିପକା ।’’ ସୁନ୍ଦରୀ ଭାଇର କଥା ମାନି ସେଇୟା କଲା । ଘଣ୍ଟାକ ପରେ ସୁନ୍ଦରୀର ସାନଭାଇ କହିଲା—‘‘ଆଉ ଦୁଇଘଣ୍ଟା ପରେ ଆମେ ରାଜକୁମାରଙ୍କ ପ୍ରାସାଦରେ ପହଞ୍ଚିଥିବା—ସାବଧାନ ରୁହ, ସମୁଦ୍ର ପବନର ସ୍ପର୍ଶରେ ତୁମର କୋମଳ ରୂପ—ଯେମିତି ଫିକା ପଡ଼ି ନ ଯାଏ ।’’

ସୁନ୍ଦରୀ ଏହା ବି ଭଲଭାବରେ ଶୁଣିନପାରି ମାତାଙ୍କୁ ପଚାରିଲା—‘‘ମା, ମା, ଛୋଟଭାଇ ମୋତେ କ’ଣ କହିଲେ ?’’ ସାବତ ମାତା କହିଲେ—‘‘ସେ କହିଲା ତୋର ନୂଆ ଲୁଗା କାଢ଼ି ଆପଣା ଭଉଣୀକୁ ଦେବା ପାଇଁ’’ ସୁନ୍ଦରୀ ଅତିଶୀଘ୍ର ନୂଆ ଲୁଗା ବଦଳେଇ ଭଉଣୀକୁ ଦେଲା ଓ ତା’ର ପୁରୁଣା ଲୁଗା ପିନ୍ଧିଲା ।

ପୂର୍ବପରି ଘଣ୍ଟାକ ପରେ ଭାଇମାନେ କହିଲେ, ‘‘ଭଉଣୀ ସୁନ୍ଦରୀ, ଆଉ ଘଣ୍ଟାକ ପରେ ଆମେ ରାଜକୁମାରଙ୍କ ପ୍ରାସାଦରେ ପହଞ୍ଚିବା—ତୁମେ ସାବଧାନ ଥାଅ ଯେପରି ସମୁଦ୍ର ପବନରେ ତୁମର କୋମଳ ରୂପ ମଳିନ ହୋଇନଯାଏ । ଏହା ମଧ୍ୟ ସୁନ୍ଦରୀ ଶୁଣିନପାରି ମା’ଙ୍କୁ ପଚାରିବାରୁ ସେ କହିଲେ, ତୁମେ ବଡ଼ ଭଉଣୀକୁ ଧଳା ଓଢ଼ଣୀ, ନାରଙ୍ଗୀ ଫୁଲର ମୁକୁଟ ଦେଇଦିଅ-। ସୁନ୍ଦରୀ ବିନା ଦ୍ୱିଧାରେ ଧଳା ଓଢ଼ଣୀ ଓ ନାରଙ୍ଗୀ ରଙ୍ଗର ମୁକୁଟଟି ଦେଇଦେଲା । ଏହାପରେ ସାବତ ମାତା ଓ ଭଉଣୀ ଦୁହେଁ ମିଳି ଗାଡ଼ି ଚାଲୁଥିବା ଅବସ୍ଥାରେ ଗାଡ଼ିର ଦରଜା ଖୋଲି ସାବଧାନତା ସହକାରେ ଆଖି ପିଛୁଳାକେ ସୁନ୍ଦରୀକୁ ଗୋଟିଏ ଗାତ ମଧ୍ୟରେ ଧକ୍‌କା ଦେଇ ପକାଇଦେଲେ । ରାଜକୁମାର ଅଧୈର୍ଯ୍ୟ ଭାବରେ ସେମାନଙ୍କର ପ୍ରତୀକ୍ଷା କରି ପ୍ରାସାଦର ଦରଜା ପାଖରେ ବସିଲେ । ସାବତ ମା ଓ ତା’ର କନ୍ୟାକୁ ଦେଖି ସେ କ୍ରୋଧରେ ଜର୍ଜରିତ ହୋଇପଡ଼ିଲେ । କୌଣସି ବିଷୟ ଭଲଭାବରେ ଜାଣିବା ପୂର୍ବରୁ ଚିତ୍କାର କରି ଘାତକକୁ ଡାକି କହିଲେ, ଏହି ଦୁଇଭାଇ ମୋତେ ପ୍ରତାରଣା କରିଛନ୍ତି-। ଏହିକ୍ଷଣି ଏମାନଙ୍କୁ କାଳକୋଠରୀ ଭିତରକୁ ନେଇଯାଇ ବନ୍ଦ କରିଦିଅ ।

ଘାତକ ତତ୍‌କ୍ଷଣାତ୍‌ ରାଜାଙ୍କ ଆଦେଶ ପାଳନ କଲା । ତାପରେ ରାଜକୁମାର ସାବତ ମାତା ଓ ତାହାର କନ୍ୟାକୁ ଅନାଇ ପଚାରିଲେ, ‘‘ତୁମ୍ଭମାନଙ୍କ ପରିଚୟ ?’’ ସାବତ ମାତା କହିଲେ, ‘‘ମୁଁ ସୁନ୍ଦରୀର ମାତା ଆଉ ଆପଣଙ୍କ ଆଗରେ ଯିଏ ଠିଆହୋଇଛି ଆପଣଙ୍କ ଭାବି ବଧୂ । ଯିଏ ରାଜକୁମାର କହିଲେ—‘‘ଏହି ସେ ସୁନ୍ଦରୀ । ଆଚ୍ଛା କିଏ ଅଛି ? ଶୀଘ୍ର ଗୋଟିଏ ସରୁ ପାନିଆ ଆଣ-।’’ ସଙ୍ଗେ ସଙ୍ଗେ ଭୃତ୍ୟ ଏକ ପାନିଆ ଆଣିଲା, ରାଜକୁମାର ସେହି ବାଳିକାକୁ ପାନିଆ ଦେଇ କେଶ ବିନ୍ୟାସ କରିବାକୁ କହିଲେ । ବାଳିକାଟି ପାନିଆରେ ମୁଣ୍ଡ କୁଣ୍ଡାଇଲା, ଆଉ ତାହାର କେଶରୁ ମୁକୁତା ଝରିବା ପରିବର୍ତ୍ତେ ଧୂଳି ଝରିପଡ଼ିଲା । ରାଜକୁମାର ରାଗିଯାଇ ଆଦେଶ ଦେଲେ, ‘‘ଏଇ ଦୁଇ ସ୍ତ୍ରୀଲୋକଙ୍କୁ ବସ୍ତାରେ ଭରି ସମୁଦ୍ରରେ ଫିଙ୍ଗିଦିଅ ।’’ ଆଦେଶ ପାଇବାମାତ୍ରକେ ପ୍ରହରୀ ମା’ ଓ ଝିଅ ଉଭୟଙ୍କୁ ବସ୍ତାରେ ଭରି ସମୁଦ୍ରରେ ଫିଙ୍ଗିଦେଲେ ।

ସୁନ୍ଦରୀ ଗାତ ମଧ୍ୟରେ ପଡ଼ିରହି ବହୁତ ଦୁଃଖ କଷ୍ଟ ପାଇ ବାରମ୍ବାର ଦେବୀ ଦେବତାଙ୍କୁ ସ୍ମରଣ କରି ପ୍ରାର୍ଥନା କଲା । ଏହି ସମୟରେ ସେହି ବାଟରେ ମାଲୁଣୀଟିଏ ମୁଣ୍ଡରେ ଫୁଲ ପସରା ନେଇ ଯାଉଥିଲା । ସୁନ୍ଦରୀର କରୁଣ ପ୍ରାର୍ଥନାରେ ତା’ର ଦୟା ହେଲା । ସେ ତାକୁ ଗାତରୁ ଉଠେଇ ନେଇ ଆସି କହିଲା—‘‘ଝିଅ ତୁ ବାଳ ବାନ୍ଧିପକା ।’’ ସୁନ୍ଦରୀ ବାଳ ବାନ୍ଧିବା ସମୟରେ ବାଳରୁ ଝରିପଡ଼ିଲା ଗୋଟି ଗୋଟି ହୋଇ ମୁକୁତା । ମୁହଁ ହାତ ଧୋଇ ମାଲୁଣି କହିବା ଅନୁସାରେ ସୁନ୍ଦରୀ ଲୁଗା ବଦଳେଇ ନେଲା । ସୁନ୍ଦରୀ ମାଲୁଣିକୁ ଧନ୍ୟବାଦ ଦେଇ କହିଲା—‘‘ଆପଣ ମୋର ଉପକାର କରିଛନ୍ତି, ଏହା ବଦଳରେ ଏ ମୁକୁତା ନେଇ ମୋତେ ଆପଣଙ୍କ ପାଖରେ ଦାସୀ କରି ରଖନ୍ତୁ ।’’ ସୁନ୍ଦରୀ ମାଲୁଣି ପାଖରେ ଦାସୀ ହୋଇ ରହିଲା । ସେହି ଦିନଠାରୁ ପ୍ରତ୍ୟହ ସୁନ୍ଦରୀ ରାଜକୁମାରଙ୍କ ପ୍ରସାଦକୁ ଫୁଲ ବିକିବା ପାଇଁ ଯାଏ ଓ ଘର ଲେଉଟାଣି ସମୁଦ୍ରରେ ସ୍ନାନ କରି ଆସେ । ରାଜ ପ୍ରାସାଦରୁ ଦିନେ ସୁନ୍ଦରୀ ଫେରୁଥିବା ସମୟରେ ରାଜକୁମାର ତାକୁ ଦେଖି ମୁଗ୍‌ଧ ହୋଇଗଲେ । ପରିଚାରିକାକୁ ଡାକି ତା’ର ପରିଚୟ ପଚାରିଲେ । ପରିଚାରିକାଟି ଉତ୍ତର ଦେଲା ‘‘ମହାରାଜ ବାଳିକାଟି ଖୁବ୍‌ ସୁନ୍ଦରୀ, ସେ ପ୍ରତିଦିନ ପ୍ରାସାଦକୁ ଫୁଲ ବିକିବା ପାଇଁ ଆସେ । ରାଜକୁମାର କହିଲେ—‘‘ଶୀଘ୍ର ଯାଇ ବାଳିକାଟିକୁ ମୋର ପାଖକୁ ନେଇ ଆସ ।’’ କିନ୍ତୁ ସେତେବେଳକୁ ସୁନ୍ଦରୀ ବହୁତ ଦୂରକୁ ଚାଲି ଯାଇଥିଲା । ପ୍ରତିଦିନ ସମୁଦ୍ରରେ ଗାଧୋଇବାବେଳେ ଜଳ ଦେବତା ତାକୁ ଦେଖି ତା’ ରୂପରେ ମୁଗ୍‌ଧ ହୋଇପଡ଼ିଥିଲେ ଏବଂ ସେ ତାକୁ ଅପେକ୍ଷା କରୁଥିଲେ । ସେଦିନ ସମୁଦ୍ରରେ ଗାଧୋଇବାବେଳକୁ ଜଳ ଦେବତା ତାକୁ ପାଣି ଭିତରକୁ ଟାଣିନେଲେ । ସୁନ୍ଦରୀ ବରୁଣ ପୁରୀରେ ଯାଇ ପହଞ୍ଚିଲା । ବରୁଣ ନଅରର ଚାରିବାଟରେ ଖଞ୍ଜା ହୋଇଥିଲା ସୁନାର ପ୍ରତିମୂର୍ତ୍ତି, ପାଟସୁତାରେ କେରି କେରି ଝୁଲୁଥିଲା ହୀରା, ନୀଳା ,ମୋତି, ମାଣିକ୍ୟ । ଶହଶହ ଦାସୀପରିବାରୀ ସୁନ୍ଦରୀର ସେବାରେ ଲାଗିଗଲେ । ଜଳଦେବତା କହିଲେ–

 

‘‘ସୁନ୍ଦରୀ, ମୁଁ ବରୁଣ, ତୁମେ ତୁମର ପୋଷାକ ବଦଳେଇ ଏ ସୁନାଜରି ଲାଗିଥିବା ପୋଷାକଟି ପିନ୍ଧିନିଅ । ନୀଳପ୍ରବାଳ ଓ ବୈଡ଼ୁର୍ଯ୍ୟ ଖଚିତ ଏହି ମୁକୁଟକୁ ମୁଣ୍ଡରେ ଦିଅ । ମୁଁ ତୁମକୁ ବିବାହ କରିବି । କାରଣ ମୁଁ ତୁମ ରୂପରେ ମୁଗ୍‌ଧ, ତୁମେ ମୋର ରାଣୀ ।’’

 

ସୁନ୍ଦରୀ କହିଲା—‘‘ଜଳ ଦେବତା ଆପଣ ମନୁଷ୍ୟ ନୁହନ୍ତି, ଏଣୁ ଆପଣଙ୍କୁ ମୁଁ କଦାପି ବିବାହ କରିପାରିବି ନାହିଁ ।’’ ଏଥିରେ ଜଳ ଦେବତା ବହୁତ ଦୁଃଖ କଲେ । କିନ୍ତୁ ସୁନ୍ଦରୀର ପ୍ରେମରେ ପଡ଼ିଯାଇଥିବାରୁ ତା’ର କୌଣସି ଅନିଷ୍ଟ କରିପାରିଲେ ନାହିଁ । ଶେଷରେ ମର୍ମାହତ ହୋଇ ସେ ସୁନ୍ଦରୀକୁ କହିଲେ, ‘‘ତୁମ୍ଭେ ଶୀଘ୍ର ମୋ ପ୍ରସ୍ତାବରେ ରାଜି ହୋଇଯାଅ ନଚେତ୍‌ ମନେରଖ ତୁମେ ଏଠାରୁ ଯାଇପାରିବ ନାହିଁ ।

 

ଏତକ କହି ସେ ସୁନ୍ଦରୀର ଗୋଡ଼ରେ ଏକ ସୁନାର କଡ଼ା ପିନ୍ଧାଇ ଦେଲେ । କଡ଼ା ସହିତ ସୂତା ପରି ଗୋଟିଏ ମଜବୁତ୍‌ ତା’ର ବନ୍ଧା ହୋଇଥିଲା । ସୂତାଟି ସାତଶହ ମାଇଲ ଲମ୍ବ ଥିଲା । ସୁନ୍ଦରୀକୁ ବନ୍ଦ କରି ରଖିବା ପରେ ଜଳଦେବତା କହିଲେ, ଏହି କଡ଼ାପିନ୍ଧି ତୁମେ ମୋ ରାଜ୍ୟସାରା ବୁଲି ଆସିପାରିବ । ବୁଲି ବୁଲି ଥକି ପଡ଼ିଲେ ଆସି ପୁଣି ମୋତେ କହିବ । ‘‘ଜଳ ଦେବତା, ହେ ଜଳ ଦେବତା, ପାଦରୁ କାଢ଼ ତା’ର, ବୁଲି ବୁଲିକା ଥକିଗଲିଣି ମୁଁ ଜୀବନ ଗଲା ମୋର ।’’ ମୁଁ ସଙ୍ଗେ ସଙ୍ଗେ ତୁମକୁ ଟାଣି ଆଣିବି ଏବଂ ତୁମେ ତତ୍‌କ୍ଷଣାତ୍‌ ଆସି ମହଲରେ ପହଞ୍ଚିବ । ଜଳ ଦେବତାଙ୍କ କହିବା ଅନୁସାରେ ପ୍ରତିଦିନ ପାହାନ୍ତା ହେଲାମାତ୍ରକେ ସୁନ୍ଦରୀ ବରୁଣ ରାଜ୍ୟର ଚତୁର୍ଦ୍ଦିଗ ବୁଲିବାକୁ ବାହାରୁଥିଲା । ଥକିଗଲେ ଜଳଦେବତା କହିଥିବା ଗୀତଟି ବୋଲୁଥିଲା-। ସଙ୍ଗେ ସଙ୍ଗେ ଜଳ ଦେବତା ତାହାକୁ ଆପଣା ମହଲକୁ ଟାଣି ଆଣୁଥିଲେ ।

 

ଦିନେ ସୁନ୍ଦରୀ ସମୁଦ୍ର ରାଜ୍ୟରେ ବୁଲୁଥିବା ସମୟରେ ରାଜକୁମାରଙ୍କ ପ୍ରାସାଦ ନିକଟରେ ଆସି ପହଞ୍ଚିଲା । ପ୍ରାସାଦର ସହୀସମାନେ ସେତେବେଳକୁ ଘୋଡ଼ାମାନଙ୍କୁ ସ୍ନାନ କରାଉଥିଲେ । ସେମାନେ ସୁନ୍ଦରୀକୁ ଦେଖିପାରି ରାଜକୁମାରଙ୍କୁ କହିଲେ—‘‘ମହାରାଜ ! ସମୁଦ୍ର ପାଖରେ ଏକ ସୁନ୍ଦରୀ କନ୍ୟା ବୁଲୁଅଛି । ତା’ର ଦେହରେ ଅଛି ସୁନାଜରୀର ପୋଷାକ, ମୁଣ୍ଡରେ ନୀଳ ପ୍ରବାଳ ଆଉ ବୈଦୁର୍ଯ୍ୟ ଖଚିତ ମୁକୁଟ । ରାଜକୁମାରଙ୍କ ମୁହଁ ଶେତାପଡ଼ିଗଲା । ସେ ମନେ ମନେ ଭାବିଲେ, ଇୟେତ ସେଇ ମାଲୁଣି ଝିଅ ! ଯାହାକୁ ଦେଖି ମୁଁ ମୁଗ୍‌ଧ ହୋଇଥିଲି । ସେତେବେଳ ଯାଏ ସୁନ୍ଦରୀ ସମୁଦ୍ରକୂଳରେ ବୁଲୁଥିଲା, ଏବଂ ଗୀତ ଗାଉଥିଲା—

 

‘‘ଜଳ ଦେବତା ଚୋରାଇ ନେଇ

ପାଦରେ ଦେଲା ରଶି

ଯାଉଛି ଏବେ; ଆସିବି କାଲି

ବେଳ ହେଲାଣି ଆସି’’

 

ସେତେବେଳେ ସନ୍ଧ୍ୟା ନଇଁ ଆସିଥିଲା ତେଣୁ ସୁନ୍ଦରୀ ଗାଇଲା :—

 

‘ଜଳଦେବତା ହେ ଜଳଦେବତା

ପାଦରୁ କାଢ଼ ତା’ର–

ବୁଲି ବୁଲିକା ଥକିଲିଣି ମୁଁ

ଜୀବନ ଗଲା ମୋର ।’’

 

ସଙ୍ଗେ ସଙ୍ଗେ ଜଳଦେବତା ତାକୁ ଟାଣିନେଲେ, ଆଉ ସେ ବରୁଣ ପୁରୀରେ ଯାଇ ପହଞ୍ଚିଲା । ଏଆଡ଼େ ରାଜକୁମାର ମନ୍ଦିରକୁ ଯାଇ ରାତିସାରା ପ୍ରାର୍ଥନା କରିବାକୁ ଲାଗିଲା । ସକାଳ ହେବାମାତ୍ରେ ଦାଢ଼ୁଆ କଟୁରୀଟିଏ ଧରି ଘୋଡ଼ାରେ ବସି ସମୁଦ୍ରକୂଳରେ ଯାଇ ପହଞ୍ଚିଲା । ବରୁଣ ପୁରୀରେ ସୁନ୍ଦରୀର ନିଦ ଭାଙ୍ଗି ଗଲା । ସେ ମହଲର ବଗିଚାକୁ ଯାଇ ଲାଲ ରଙ୍ଗର ଫୁଲ ଖୋଜିଆଣିଲା ଯାହା ଶୁଂଘାଇ ଦେଲେ ମଲା ମଣିଷ ପୁଣି ଜୀଇଁଉଠେ । ସୁନ୍ଦରୀ ସେହି ଫୁଲ ତୋଳିନେଇ ଜଳ ଦେବତା ପାଖକୁ ଯାଇ କହିଲା—‘‘ମୁଁ ବୁଲିବାକୁ ଯାଉଛି—ଯେତେବେଳେ ମୁଁ ଥକିଯିବି ସେତେବେଳେ ଡାକିବି—

 

‘‘ଜଳ ଦେବତା ହେ ଜଳ ଦେବତା

ପାଦରୁ କାଢ଼ ତା’ର–

ବୁଲି ବୁଲିକା ଥକିଲିଣି ମୁଁ,

ଜୀବନ ଗଲା ମୋର ।’’

 

ଏହା କହି ସୁନ୍ଦରୀ ସୁନାଜରି ଲାଗିଥିବା ପୋଷାକ ପିନ୍ଧି ହାତରେ ଲାଲ ରଙ୍ଗର ଫୁଲଟି ନେଇ ଚାଲିଗଲା । ଦୂରରୁ ସୁନ୍ଦରୀକୁ ଆସୁଥିବାର ଦେଖି ରାଜକୁମାର ହାତରେ କଟୁରି ନେଇ ଘୋଡ଼ା ଉପରେ ଚଢ଼ିଲା, ସୁନ୍ଦରୀ କୂଳର ଶହେଗଜ ଦୂରରେ ଠିଆ ହୋଇପଡ଼ିଲା । ରାଜକୁମାର ତତ୍‌କ୍ଷଣାତ୍‌ ସମୁଦ୍ରରେ ଡେଇଁପଡ଼ି ସୁନ୍ଦରୀକୁ ଧରିପକାଇଲା ଓ କଟୁରିରେ ତା’ ଗୋଡ଼ର ତାରକୁ କାଟି ତାହାକୁ ଟେକିନେଇ ଆସିଲା ।

 

ଯେତେବେଳେ ଜଳଦେବତାଙ୍କୁ ତାରଟି ହୁଗୁଳା ଜଣାଗଲା, ସେ ସେହିକ୍ଷଣି ସେଠାରେ ତୋଫାନ ବେଗରେ ବିଜୁଳି ପରି ଆସି ପହଞ୍ଚିଲା । କିନ୍ତୁ ରାଜକୁମାରଙ୍କର କିଛି କ୍ଷତି କରିପାରିଲେ ନାହିଁ । କାରଣ ରାଜକୁମାର ସମୁଦ୍ରକୂଳରେ ବାଲି ଉପରେ ଠିଆ ହୋଇଥିଲା । ପୃଥିବୀ ଉପରେ ରାଜତ୍ୱ କରିବାର ଅଧିକାର ଜଳଦେବତାଙ୍କର ନ ଥିଲା । ସୁନ୍ଦରୀ ରାଜକୁମାରଙ୍କୁ କହିଲା ‘‘ଧନ୍ୟବାଦ ରାଜକୁମାର, ମୁଁ ଆପଣଙ୍କୁ ପୂର୍ବରୁ ଜାଣେ କିନ୍ତୁ ଆପଣଙ୍କ ନିକଟରେ ଅପରିଚିତା । ମୋର ନାମ ସୁନ୍ଦରୀ ।’’ ରାଜକୁମାର ଆଶ୍ଚର୍ଯ୍ୟ ହୋଇ କହିଲା—‘‘ତା ହେଲେ ତୁମେ ସୁନ୍ଦରୀ ?’’ ତାପରେ ସେ ପାନିଆଟିଏ ନେଇ ଆସିଲା । ସୁନ୍ଦରୀ ସେହି ପାନିଆରେ ନିଜର କେଶ ବାନ୍ଧିଲା ଆଉ ତାହାର କେଶରୁ ଝରିପଡ଼ିଲା ଗୋଟି ଗୋଟି ହୋଇ କୋଟିଏ ମୁକୁତା ।

 

ରାଜକୁମାର କହିଲା—‘‘ସୁନ୍ଦରୀ ମୁଁ ତୁମକୁ ଭଲପାଏ । ତୁମେ କ’ଣ ମୋତେ ବିବାହ କରିବାକୁ ରାଜି ଅଛ ?’’

 

ସୁନ୍ଦରୀ କହିଲା—‘‘ବିବାହ କରିବାକୁ ହେଲେ, ମୋତେ ମୋ ଭାଇମାନଙ୍କଠାରୁ ଅନୁମତି ନେବାକୁ ପଡ଼ିବ ?’’

 

ରାଜକୁମାର କହିଲା—‘‘ହେ ଭଗବାନ ! ତୁମର ଭାଇମାନଙ୍କୁ ତ କାଳକୋଠରି ମଧ୍ୟରେ ବନ୍ଦୀ କରିଥିଲି, ସେମାନେ କ’ଣ ଆଉ ଜୀବନରେ ଥିବେ ?’’

 

ସୁନ୍ଦରୀ କହିଲା—‘‘ମୋତେ କାଳକୋଠରି ମଧ୍ୟକୁ ନେଇ ଚାଲନ୍ତୁ ?’’

 

ରାଜକୁମାର ତାକୁ କାଳକୋଠରି ମଧ୍ୟକୁ ନେଇଗଲା । ସୁନ୍ଦରୀ ଲାଲ୍ ଫୁଲଟି ବାହାର କରି ଆପଣା ଭାଇମାନଙ୍କ ଦେହରେ ଛୁଆଁଇ ଦେଲା । ସଙ୍ଗେ ସଙ୍ଗେ ଫୁଲଟି ଝାଉଁଳି ପଡ଼ିଲା । କିନ୍ତୁ ତାହାର ଭାଇମାନେ ସୁନ୍ଦର ଓ ବଳିଷ୍ଠ ରୂପରେ ଠିଆ ହୋଇପଡ଼ିଲେ । ସୁନ୍ଦରୀ ଭାଇମାନଙ୍କୁ କହିଲା—‘‘ତୁମ୍ଭେମାନେ ମୋତେ ରାଜକୁମାରଙ୍କ ସହିତ ବିବାହ କରିବାକୁ ଆଦେଶ ଦିଅ ।’’ ଭାଇମାନେ ସମ୍ମତି ଜଣାଇଲେ । ସୁନ୍ଦରୀ ରାଜକୁମାରଙ୍କୁ ବିବାହ କରି ସୁଖରେ ଦିନ କଟାଇଲା ।

Image

 

ରାକ୍ଷସର ଝିଅ

 

ପ୍ରାଚୀନ କାଳରେ ଏକ ଦମ୍ପତ୍ତି ବାସ କରୁଥିଲେ । ସେମାନଙ୍କର ବିଶିକେଶନ ନାମରେ ଗୋଟିଏ ପୁତ୍ର ଥିଲା । ସ୍ତ୍ରୀଙ୍କ ମୃତ୍ୟୁରେ ପୁରୁଷଟି ଆଉ ଜଣେ ସ୍ତ୍ରୀଲୋକକୁ ବିବାହ କଲେ । ବିମାତା ବିଶିକେଶନକୁ ମୋଟେ ଦେଖିପାରୁନଥିଲେ । ଦିନେ ସେ ତାଙ୍କର ପତିକୁ କହିଲେ, ‘‘ଏ ପିଲାଟି ବଡ଼ ଦୁଷ୍ଟ । ସବୁଜିନିଷ ଭାଙ୍ଗିରୁଜି ନଷ୍ଟ କରିଦେଉଛି । ଏହାକୁ ସହଳ ଘରୁ ବିଦା କଲେ ମୁଁ ଅତ୍ୟନ୍ତ ଖୁସି ହେବି ।’’ ବିଶିକେଶନ ଚେଇଁ ରହି ବାପାମାଙ୍କ କଥାବାର୍ତ୍ତା ଶୁଣୁଥିଲା । ଦୌଡ଼ିଯାଇ ନିଜର ଜେଜେମା’ ପାଖରେ ସବୁକଥା କହିଲା । ଜେଜେମା କହିଲେ ‘‘ବାପାରେ ତୁ ଚିନ୍ତା କର ନାହିଁ । ତୁ ନିଜ ମୁଣାରେ ବହୁତଗୁଡ଼ାଏ ପଥର ନେଇଯା, ଯେତେବେଳେ ତୋର ବାପା ଜଙ୍ଗଲକୁ କାଠ ହାଣିବାକୁ ଯିବେ ସେତେବେଳେ ତୋତେ ସଙ୍ଗରେ ନେଇ ଯିବେ । ଯିବା ରାସ୍ତାରେ ଏହି ପଥର ଖଣ୍ଡମାନ ରାସ୍ତାରେ ପକାଇ ପକାଇ ଯିବୁ ।’’ ତା’ପରଦିନ ସକାଳେ ବାପ ପୁଅ ଦୁହେଁ କାଠ ଆଣିବା ପାଇଁ ଜଙ୍ଗଲକୁ ଗଲେ । ଜଙ୍ଗଲ ମଧ୍ୟରେ ବାପ ପୁଅକୁ ଛାଡ଼ିଦେଇ କେଉଁଠାକୁ ଚାଲିଗଲେ-। ବହୁତ ସମୟ ଯାଏ ବାପାଙ୍କ ଫେରିବା ବାଟକୁ ଚାହିଁ ବିଶିକେଶନ ପଥର ସାହାଯ୍ୟରେ ପଥ ଚିହ୍ନି ଘରକୁ ଫେରିଆସିଲା । ପିଲାଟି ଦରଜା ପାଖରେ ଛିଡ଼ାହୋଇ ସାବତ ମାଆ ଓ ବାପାର କଥାବାର୍ତ୍ତା ଶୁଣିବାରେ ଲାଗିଲା । ତାହାର ପିତା କହିଲେ ‘‘ଆହା ଆଜି ଯଦି ବିଶିକେଶନ ଥାନ୍ତା ତାହେଲେ କେତେ ଖୁସିରେ ଆମସହିତ ଖାଇଥାନ୍ତା ।’’ ଏହା ଶୁଣି ବିଶିକେଶନ କହିଲା—‘‘ବାପା ମୁଁ ଏଇଠି ଅଛି-।’’ ବାପା ପିଲାଟିକୁ ଭିତରକୁ ଡାକିନେଇ ଖାଇବାକୁ ଦେଲେ ଏବଂ ଖାଇସାରି ସମସ୍ତେ ଶୋଇବା ପାଇଁ ବିଛଣାକୁ ଗଲେ । ବିଶିକେଶନ ଶୋଇ ଶୋଇ ଆରଘରେ ବାପା ମା‘ଙ୍କ କଥା ଶୁଣୁଥିଲା । ସାବତ ମା’ କହୁଥିଲେ, ‘‘ଏହି ପିଲାଟି ଦିନକୁ ଦିନ ବୟସରେ ବଢ଼ୁଛି-। ଏହାକୁ ସକାଳ ହେବା ମାତ୍ରେ ଜଙ୍ଗଲ ଭିତରକୁ ନେଇଯାଇ ଯେମିତିହେଲେ ମାରିଦେଇ ଆସ ।’’ ଆଜି ମଧ୍ୟ ବିଶିକେଶନ ଜେଜେମା’ ପାଖକୁ ଯାଇ ସବୁକଥା କହିଲା । ଜେଜେମା’ କହିଲେ, ‘‘ପୁଅ କୌଣସି ଚିନ୍ତା ନାହିଁ, ଜଙ୍ଗଲ ଭିତରେ ଯେମିତି ବାଟବଣା ହୋଇନଯାଉ ସେଥିପାଇଁ ଉପାୟ କର-।’’ ତା’ ପରଦିନ ପିତାପୁତ୍ର ଦୁହେଁ ଜଙ୍ଗଲ ଅଭିମୁଖେ ଯାତ୍ରା କଲେ । ବିଶିକେଶନ ମୁଣାରେ ଗହମଦାନାଗୁଡ଼ିକ ଭରି ବାହାରିଲା । ଯିବା ବାଟରେ ସେ ଗହମ ଦାନା ସବୁ ବିଞ୍ଚି ଦେଇଗଲା । ମଝି ଜଙ୍ଗଲରେ ପହଞ୍ଚି ତାହାର ପିତା ତାହାକୁ ଗୋଟିଏ ସ୍ଥାନରେ ଅପେକ୍ଷା କରିବା ପାଇଁ କହି ଏବଂ ସହଳ ଫେରିଆସିବେ ବୋଲି ଜଣାଇ ଚାଲିଗଲେ ।

ପ୍ରତିଶ୍ରୁତି ଦେଇ ମଧ୍ୟ ଯେତେବେଳେ ବାପାଙ୍କର ଫେରିବାର କୌଣସି ସୂଚନା ଦେଖାଗଲା ନାହିଁ ସେତେବେଳେ ବିଶିକେଶନ ଗହମ ଦାନାକୁ ଲକ୍ଷ୍ୟକରି କୌଣସିମତେ ଘରକୁ ଫେରିଆସିବା ପାଇଁ ଚେଷ୍ଟାକଲା । କିନ୍ତୁ ଜଙ୍ଗଲର ସମସ୍ତ ଚଢ଼େଇ ଗହମ ଦାନା ଖୁଣ୍ଟି ଶେଷ କରିଦେଇଥିଲେ । ଏଥିରେ ସେ ଭୟପାଇ ଏକାକୀ ଜଙ୍ଗଲରେ ଠିଆହୋଇ କାନ୍ଦିବାକୁ ଲାଗିଲା । ତାପରେ ସେ ଗୋଟିଏ ଗଛଉପରେ ଚଢ଼ିଯାଇ ବହୁଦୂରରେ ଏକ ଆଲୁଅ ଜଳୁଥିବାର ଦେଖିଲା । ସେହି ଆଲୁଅକୁ ଲକ୍ଷ୍ୟକରି ଶେଷରେ ସେ ଗୋଟିଏ କୁଡ଼ିଆ ଘରେ ଯାଇ ପହଞ୍ଚିଗଲା । କବାଟରେ ଧକ୍‌କା ମାରିବା ମାତ୍ରେ ଯେଉଁ ସ୍ତ୍ରୀଲୋକଟି ଆସି କବାଟ ଖୋଲିଲା ତାହାକୁ ବିଶିକେଶନ କହିଲା ମୋତେ ଆଶ୍ରୟ ଦିଅନ୍ତୁ ।’’ ସ୍ତ୍ରୀଲୋକଟି କହିଲା—‘‘ଏହା ତ ଏକ ଅସୁର ଘର । ସେ ଫେରିବାମାତ୍ରେ ତୁମକୁ ଖାଇଯିବ ।’’ ବିଶିକେଶନ କହିଲା, ‘‘ମୁଁ ଏଠି ଲୁଚିଯିବି—ଯେମିତି କେହି ମୋତେ ଦେଖିନପାରେ ।’’ ଏହା କହି ସେ ବିଛଣା ଭିତରେ ଲୁଚି ରହିଲା ।

ଅସୁରର କରୁଣା ନାମରେ ଏକ ସୁନ୍ଦରୀ ଝିଅ ଥିଲା । କରୁଣା ଆସି ବିଶିକେଶନକୁ କହିଲା ‘‘ଏହି ମୂଷାଟି ନିଜ ପାଖରେ ରଖ ଯେତେବେଳେ ମୋର ପିତା ତୁମକୁ ତୁମର ଆଙ୍ଗୁଠି ଦେଖାଇବାକୁ କହିବେ, ତୁମେ ଏହି ମୂଷାର ଲାଞ୍ଜକୁ ଦେଖାଇ ଦେବ ।’’ ରାତିରେ ଅସୁର ଫେରିଆସି କହିଲା—‘‘ମୁଁ ମନୁଷ୍ୟ ଦେହର ଗନ୍ଧ ପାଉଛି ।’’ ଅସୁରର ସ୍ତ୍ରୀ କହିଲା, ‘‘ହଁ ଏକ ଛୋଟ ବାଳକ ଆସିଛି—ସେ ଏତେ ଛୋଟ ଯେ, ତୁମର କୌଣସି କାମରେ ଆସିବ ନାହିଁ ।’’ ଅସୁର ବାଳକଟିକୁ ଡାକି କହିଲା ‘‘ମୋତେ ତୋର ଆଙ୍ଗୁଠି ଦେଖା । ବାଳକଟି ମୂଷାର ଲାଙ୍ଗୁଡ଼ଟି ଦେଖାଇଥିଲା । ଅସୁର ଭାବିଲା ବାଳକଟି ପ୍ରକୃତରେ ଅତି ଛୋଟ । ଦ୍ୱିତୀୟଦିନ ବିଶିକେଶନ ସେଠାରୁ ଚାଲିଯିବାକୁ ଚାହିଁଲା, କିନ୍ତୁ କରୁଣା ତାହାକୁ ତାହାର ବାପା ହାତରୁ ରକ୍ଷା କରିବ ବୋଲି ପ୍ରତିଶ୍ରୃତି ଦେଲା । କରୁଣାର କଥା ଏଡ଼ାଇ ନ ପାରି ବିଶିକେଶନ ବାଧ୍ୟ ହୋଇ ରହିଲା । ଦିନବେଳେ କରୁଣା ସହିତ ଓ ରାତ୍ରିରେ ପଲଙ୍କ ତଳେ ତାହାର ସମୟ କଟୁଥିଲା । ଦିନେ ଅସୁର ଦିନବେଳେ ଫେରିଆସିଲା ଓ ବଗିଚାରେ ବିଶିକେଶନ ଓ କରୁଣାକୁ ଦେଖି କହିଲା–‘‘ଆସନ୍ତାକାଲି ସକାଳେ ମୁଁ ଏହାର ମାଂସ ଖାଇବି ।’’ କରୁଣା କହିଲା, ‘‘ବାପା ମୁଁ ଏହି ବାଳକଟିକୁ ଭଲପାଏ । ତେଣୁ ମୋ ପାଇଁ ଅନ୍ତତଃ ଏହି ବାଳକକୁ ମୁକ୍ତି ଦିଅନ୍ତୁ ।

ଅସୁର ଝିଅର କଥାରେ ରାଜିହୋଇ କହିଲା, ‘‘ହେଉ ତୋ କଥାରେ ଛାଡ଼ିଦେଲି, କିନ୍ତୁ ବାଳକଟିକୁ ମୋର ଆଦେଶ ମାନିବାକୁ ପଡ଼ିବ—ରାତିରେ ଅସୁର ଖାଇଲାବେଳେ ବିଶିକେଶନକୁ କହିଲା, ‘‘ସକାଳ ହେଲେ ତୁମକୁ ଏକ ଝରଣା ଖୋଳିବାକୁ ପଡ଼ିବ । ଯେପରି ମୁଁ ଖାଇବା ପରେ ସେହି ଝରଣାର ପାଣି ପିଇପାରିବି ।

ସକାଳୁ ଉଠି ବିଶିକେଶନ ଗୋଟିଏ ଟୋକେଇ ନେଇ ଓ କୋଦାଳ ନେଇ ଝରଣା ଖୋଳିବା ପାଇଁ ବାହାରିଲା । ଗୋଟାଏ ଚୋଟରେ କୋଦାଳ ଭାଙ୍ଗିଗଲା ? କାରଣ କୋଦାଳଟି ବୁଢ଼ାଲାଉରେ ତିଆରି ହୋଇଥିଲା । ଦ୍ୱିପ୍ରହରବେଳେ କରୁଣା ମାତାଙ୍କଠାରୁ ଅନୁମତି ନେଇ ବିଶିକେଶନ ପାଇଁ ଖାଇବାର ନେଇ ପହଞ୍ଚି କହିଲା—‘‘ତୁମେ ଅତ୍ୟନ୍ତ ଦୁଃଖିତ ଦେଖାଯାଉଛ କାହିଁକି-?’’ ବିଶିକେଶନ କହିଲା, ‘‘ମୋର କୋଦାଳ ଭାଙ୍ଗିଯିବାରୁ ମୁଁ ଏପରି ଚିନ୍ତିତ ହୋଇପଡ଼ିଛି-।’’ କରୁଣା କହିଲା—‘‘ଚିନ୍ତାକର ନାହିଁ—ଝରଣା ଆପେ ଆପେ ତିଆରି ହୋଇଯିବ-।’’ ଭୋଜନ ଶେଷ କଲା ଉତ୍ତାରେ କରୁଣ ଆପଣା ଅଣ୍ଟାରୁ ଗୋଟିଏ କୋଦାଳ ବାହାର କରି କହିଲା—‘‘ଝରଣା ଖୋଳିଦେଇ ସେଥିରେ ପାଣି ଭରିଯାଉ ।’’ କରୁଣାର ଆଦେଶ ଅନୁସାରେ ଝରଣା ଖୋଳି ହୋଇ ତହିଁରେ କାଚକେନ୍ଦୁ ପାଣି ଭରିଗଲା । ବିଶିକେଶନ ଏକ ପାତ୍ରରେ ଝରଣାର ପାଣି ନେଇ ଅସୁର ଆଗରେ ଥୋଇଦେଲା ।

ଭୋଜନ ପରେ ଅସୁର କହିଲା—‘‘ଏହି ବାଳକକୁ ବିଛଣାକୁ ନେଇଯାଅ ।’’ ବିଛଣାଟିରେ ହୁତ୍‌ ହୁତ୍ ହୋଇ ନିଆଁ ଜଳୁଥିଲା । ଏହା ଦେଖି କରୁଣା ବିଶିକେଶନକୁ ନିଜ ବିଛଣାରେ ଶୋଇବା ପାଇଁ କହି ନିଜେ ଯାଇ ସେହି ନିଆଁ ଜଳୁଥିବା ବିଛଣାରେ ଶୋଇପଡ଼ିଲା ମାତ୍ର ନିଆଁରେ ତା’ର କିଛି କ୍ଷତି ହେଲା ନାହିଁ । ଏହିପରି ଭାବରେ ସେ ବିଶିକେଶନକୁ ନିଆଁରୁ ରକ୍ଷା କଲା । ପୁନରାୟ ପରଦିନ ସକାଳେ ଅସୁର ବିଶିକେଶନକୁ କହିଲା—‘‘ଆଜି ତୁମେ ଯାଇ ଅଙ୍ଗୁରର ଚାରା ଗଛ ଲଗାଅ ଓ ଆଜି ସନ୍ଧ୍ୟାରେ ମୁଁ ସେହି ଗଛର ଅଙ୍ଗୁର ଖାଇବି ।’’

ବିଶିକେଶନ ନିଜର ଯନ୍ତ୍ରପାତି ନେଇ ବାହାରିଲା । ସେଦିନ ମଧ୍ୟ ଯନ୍ତ୍ରପାତିଗୁଡ଼ିକ କୌଣସି କାମରେ ଆସିଲା ନାହିଁ । ସେହି ସ୍ଥାନରେ ସେ ମନଦୁଃଖରେ ବସି ରହିଲା ।

ପୂର୍ବପରି କରୁଣା ତାହାର ମାଁ ଠାରୁ ଅନୁମତି ନେଇ ସେଠାରେ ଯାଇ ପହଞ୍ଚିଲା ଓ ବିଶିକେଶନକୁ ଦୁଃଖିତ ହୋଇ ବସି ରହିଥିବାର କାରଣ ପଚାରିଲା । ବିଶିକେଶନ ତା’ର ଯନ୍ତ୍ରପାତି ଭାଙ୍ଗି ଯାଇଥିବାର କହିଲା ।

କରୁଣା କହିଲା, ‘‘ତୁମେ ବ୍ୟସ୍ତହୁଅ ନାହିଁ । ସବୁକିଛି ଠିକ୍‍ଠାକ୍‌ ହୋଇଯିବ ।’’ କରୁଣା ସଙ୍ଗରେ ନେଇଥିବା ଆହାର ବିଶିକେଶନ ଖାଉଥିବାବେଳେ କରୁଣା ଅଙ୍ଗୁର ଗଛଗୁଡ଼ାକ ଲଗାଇ ଅଙ୍ଗୁରଫଳ ପାଇଁ ଆଦେଶ ଦେଲା । ତତ୍‌କ୍ଷଣାତ୍‌ ଗଛରେ ପେନ୍ଥା ପେନ୍ଥା ଅଙ୍ଗୁର ଝୁଲିଲା । ପେନ୍ଥାଏ ଅଙ୍ଗୁରନେଇ ଅସୁର ମେଜ ଉପରେ ଥୋଇଦେଲା । ଅସୁର ଅଙ୍ଗୁର ଦେଖି ବୁଝିପାରିଲା ଏ କରୁଣାର କାମ ।

ବିଶିକେଶନକୁ ଶୋଇବାଘରକୁ ଯିବା ପାଇଁ ଆଦେଶ ଦେଇ କରୁଣାକୁ କହିଲା–‘‘ସମସ୍ତଙ୍କୁ ଟିକିଟିକି କରି ମାରି ଖାଇବି । ଯିଏ ଯାହା କରିଛ ତା’ର ଫଳ ସିଏ ପାଇବ ।’’

ତାପରେ କରୁଣାର ମାଁକୁ ଡାକି କହିଲା—‘‘ସକାଳେ ଗୋଟିଏ ବଡ଼ କରେଇ ନିଆଁରେ ବସାଇ ତେଲ ଗରମ କରିବ, କାଲି ବିଶିକେଶନକୁ ମୁଁ ମାରି ତା’ର ମାଂସ ଖାଇବି ।’’ କରୁଣା ସବୁକଥା ଶୁଣୁଥିଲା । ଚୁପ୍‍ଚାପ୍‌ ବିଶିକେଶନ ପାଖକୁ ଯାଇ ସବୁକଥା କହିଲା ଏବଂ ତାକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଲା । ତାପରେ ନିଜେ ନିଆଁ ଜଳୁଥିବା ବିଛଣାରେ ଶୋଇ ନିଜ ବିଛଣାକୁ ବିଶିକେଶନକୁ ପଠାଇ ଦେଇ କହିଲା—‘‘ଯେତେବେଳେ ବାପା ପଚାରିବେ, କେଉଁ ଗଞ୍ଜା ଡାକିଲା-? ତୁମେ କହିବ ଲାଲ ଗଞ୍ଜା ପୁଣି ଯଦି ପଚାରନ୍ତି କିଏ ବୋବାଉଛି ? ତୁମେ କହିବ କଳା ଗଞ୍ଜା ଏହାପରେ ଜାଣିବ ତୁମର ମୁକ୍ତିର ସମୟ ଆସିଯାଇଛି ।’’

ଅଧରାତି ବେଳକୁ ଅସୁରର ପ୍ରଶ୍ନର ଉତ୍ତର ଦେଇସାରିଲା ପରେ ବିଶିକେଶନ ଓ କରୁଣା ନିଜ ନିଜ ବିଛଣାରେ ତକିଆ ଥୋଇ ତା’ ଉପରେ ରେଜେଇ ଢାଙ୍କିଦେଇ ଚୁପ୍‌ଚାପ୍‌ ପଳାୟନ କଲେ-

ଘଣ୍ଟାକ ପରେ ଅସୁର ବିଶିକେଶନ ଓ କରୁଣାକୁ ଯାହା ଯାହା ପଚାରୁଥାଏ ସେସବୁ କଥାର ଉତ୍ତର ତକିଆ ଓ ରଜେଇ ଖୋଳ ଦେଉଥାନ୍ତି । ମାତ୍ର ଶେଷରେ ସେମାନେ କେହି ନ ଉଠିବାର ଦେଖି ଅସୁର ସନ୍ଦେହ କଲା । ଆସି ଦେଖିଲା କରୁଣା ଓ ବିଶିକେଶନ ପଳାଇ ଯାଇଛନ୍ତି-

କରୁଣା ଓ ବିଶିକେଶନ ରାତିପାହିଲାବେଳକୁ ବହୁଦୂରରେ ଥିବା ସମୁଦ୍ରକୂଳରେ ପହଞ୍ଚି ଯାଇଥିଲେ । ସେଠାରେ କରୁଣା ଫୁଲ ତୋଳୁଥିବା ସମୟରେ ଦୂରରୁ ଅସୁରକୁ ଆସୁଥିବାର ଦେଖି ବିଶିକେଶନ କହିଲା—‘‘ଏଥର ମୃତ୍ୟୁ ସୁନିଶ୍ଚିତ ।’’ କରୁଣା କହିଲା—‘‘ଡରିବାର କୌଣସି କାରଣ ନାହିଁ । କୁହୁକ ବଳରେ ତୁମକୁ ମୁଁ ଏକ ହଂସ କରିଦେଇ ମୁଁ ଗୋଟିଏ ହଂସୀ ହୋଇଯାଉଛି ।’’ ସଙ୍ଗେ ସଙ୍ଗେ କୁହୁକ ବଳରେ ସେମାନେ ହଂସ ଓ ହଂସୀ ହୋଇ ସମୁଦ୍ରରେ ପହଁରିବାରେ ଲାଗିଲେ-

ଅସୁର ସେମାନଙ୍କୁ କରୁଣା ଓ ବିଶିକେଶନ କଥା ପଚାରି କୌଣସି ସନ୍ଧାନ ନ ପାଇ ଫେରିଗଲା । ଅସୁରକୁ ଏକାକୀ ଆସିବାର ଦେଖି ତାହାର ସ୍ତ୍ରୀ ପଚାରିଲା—ତୁମେ ସେମାନଙ୍କୁ ଫେରାଇ ଆଣିପାରିଲ ନାହିଁ ?’’

ଅସୁର କହିଲା—‘‘ମୋର କେବଳ ଏକ ହଂସ ଓ ହଂସୀ ସହିତ ଦେଖାହେଲା । ସେମାନଙ୍କ ଛଡ଼ା ଆଉ କାହାକୁ ଦେଖିଲି ନାହିଁ ।’’ ଅସୁରର ସ୍ତ୍ରୀ କହିଲା—‘‘ସେମାନଙ୍କୁ ନେଇଆସ-। ସେହିମାନେ ହିଁ ଆମର କରୁଣା ଓ ବିଶିକେଶନ ।’’

ଅସୁର ପୁଣି ଖୋଜିବା ପାଇଁ ବାହାରିଲା । ଏଥର ହଂସ ବଦଳରେ ଦୁଇଟି ଚଢ଼େଇ ଦେଖିଲା, ସେମାନଙ୍କଠାରୁ ମଧ୍ୟ କରୁଣା ଓ ବିଶିକେଶନର ସନ୍ଧାନ ପାଇଲା ନାହିଁ । ଘରକୁ ଲେଉଟି ଆସି ପୁଣି ସବୁକଥା କହିଲା । ଅସୁରର ସ୍ତ୍ରୀ ଚଢ଼େଇ ଦୁଇଟିର କଥା ଶୁଣି ସେମାନେ ହିଁ କରୁଣା ଓ ବିଶିକେଶନ ହୋଇଥିବା ଭାବି ପୁଣି ଶୀଘ୍ର ଯାଇ ସେମାନଙ୍କୁ ନେଇଆସିବାକୁ କହିଲେ । ଅସୁର ବହୁତ ଥକିଯାଇଥିଲା ତେଣୁ ପୁଣି ସେମାନଙ୍କୁ ଖୋଜି ଯିବା ପାଇଁ ମନା କଲା । ମାତ୍ର ତାହାର ସ୍ତ୍ରୀର ଅନୁରୋଧରେ ଶେଷରେ ସେ ଯିବା ପାଇଁ ବାଧ୍ୟ ହେଲା ।

ଅସୁରକୁ ଆସୁଥିବାର ଦେଖି କରୁଣା କୁହୁକ ବଳରେ ନିଜକୁ ନଦୀର ପୋଲ ଓ ବିଶିକେଶନକୁ ପୋଲର କବାଟ କରିଦେଲା । ଅସୁର ସଙ୍ଗେ ସଙ୍ଗେ ନଦୀରେ ପୋଲ ନଥିବା ସ୍ଥାନରେ ପୋଲ ଦେଖି ଜାଣିପାରିଲା ସବୁ କରୁଣାର କାମ । ମନେ ମନେ ସେମାନଙ୍କ ଉପରେ ସେ ରକ୍ତଚାଉଳ ଚୋବେଇବାକୁ ଲାଗିଲ ।

ଏଥର ମଧ୍ୟ ଅସୁର ସେମାନଙ୍କୁ ଧରି ପାରିଲା ନାହିଁ । କୁହୁକ ବଳରେ ବିଶିକେଶନ ବଳଦଟିଏ ହୋଇ ପଡ଼ିଆକୁ ଦୌଡ଼ି ପଳାଇଲା ଏବଂ କରୁଣା ବେଙ୍ଗଟିଏ ହୋଇ ନଦୀକୁ ଡେଇଁପଡ଼ିଲା । କରୁଣା ତା’ର କୁହୁକ କୋଡ଼ିଟି ଭୁଲରେ ଛାଡ଼ି ଯାଇଥିଲା । ଅସୁର ତାକୁ ପାଇ କହିଲା ‘‘ବିଶିକେଶନ ତୁମେ ଛଅବର୍ଷ ଯାଏ ବଳଦ ଏବଂ କରୁଣା ସାତବର୍ଷ ଯାଏ ବେଙ୍ଗ ହୋଇ ରହିବ । ଏମିତି ଭାବରେ ପ୍ରତିଦିନ ବଳଦରୂପ ଧରି ବିଶିକେଶନ ନଦୀକୂଳରେ ବୁଲୁଥିଲା ଏବଂ ବେଙ୍ଗରୂପୀ କରୁଣା ତାହାସହିତ ସାକ୍ଷାତ୍‌ କରିବା ପାଇଁ ଆସୁଥିଲା ।

ଶେଷରେ ଛଅବର୍ଷ ପରେ ବିଶିକେଶନ ଏକ ସୁନ୍ଦର ଯୁବକ ଏବଂ ସାତବର୍ଷ ପରେ କରୁଣା ଏକ ସୁନ୍ଦରୀ ଯୁବତୀ ହୋଇଗଲେ । କିନ୍ତୁ କରୁଣା ବିଶିକେଶନକୁ ଚିହ୍ନିପାରିଲା ନାହିଁ । ଦିନେ ଗ୍ରାମର ଏକ ବିବାହ ଉତ୍ସବରେ ଯାଇ କରୁଣା ପହଞ୍ଚିଲା । ବରକୁ ଲକ୍ଷ୍ୟକରି ଜାଣିଲା—ବରଟି ସ୍ୱୟଂ ବିଶିକେଶନ ।

ଏହା ଦେଖି କରୁଣା ଗୋଟିଏ ରୋଟୀ ଦୋକାନକୁ ଯାଇ କିଛି ଦଳା ହୋଇଥିବା ଅଟା ମାଗିଲା । ରୋଟିବାଲା କହିଲା—‘‘ନା ଦଳା ଅଟା ନାହିଁ ।’’ କରୁଣା କହିଲା—‘‘ଛୁଞ୍ଚିମୁନ ପରି ଟିକେ ଅଟା ମୋର ଦରକାର ।’’ ‘‘ରୋଟୀବାଲା ଥାଳି ପୋଛି ପୋଛି ଅଟା ଟିକକ ଦଳିନେଇ କରୁଣାକୁ ଦେଲା । କରୁଣା ସେଇ ଅଟାକୁ ନେଇ ଦୁଇଟା ପାରା ତିଆରି କରି ସେମାନଙ୍କୁ ଜୀବନ ଦେଇଦେଲା ।

ଏହି ଦୁଇଟି ପାରା ମନ୍ଦିର ନିକଟରେ ଜଙ୍ଗଲ ଉପରେ ଯାଇ ବସିବା ବେଳେ ବର ଓ କନ୍ୟା ମନ୍ଦିରକୁ ଆସିଲେ ।

ଏତିକିବେଳେ ଅଣ୍ଡିରା ପାରା ମାଈ ପାରାକୁ କହିଲା—‘‘ଆସ, ଆମେ ମିଳିତ ହେବା ।’’

ମାଈ ପାରା କହିଲା—‘‘ନା ନା, ବିଶିକେଶନ ଯେପରି କରୁଣାକୁ ଭୁଲିଗଲା, ତୁମେ ବି ଶେଷରେ ମୋତେ ଭୁଲି ଯିବ । ପୁରୁଷ ଜାତିଟା ବଡ଼ ଅବିଶ୍ୱାସୀ ।

ବିଶିକେଶନ ସବୁ ଶୁଣିପାରି ତତ୍‌କ୍ଷଣାତ୍‌ ମନ୍ଦିରରୁ ବାହାରିଗଲା ଓ ବାହାରେ କରୁଣା ସହିତ ସାକ୍ଷାତ୍‍ ହେଲା । ତାକୁ ଦେଖିବାମାତ୍ରେ ସେ କରୁଣାକୁ ଚିହ୍ନିପାରିଲା ଏବଂ ଉଭୟେ ସୁଖରେ ବାସ କଲେ ।

Image

 

ପଶୁମାନଙ୍କ ରହସ୍ୟ

 

ପୂରାକାଳରେ ଜଣେ ଗରିବ ଲୋକ ବାସ କରୁଥିଲା । ତାହାର ଦୁଇଟି ପୁଅ । ତା’ମଧ୍ୟରୁ ବଡ଼ପୁଅଟି ଅନ୍ଧ । ବୃଦ୍ଧ ପିତା ମୃତ୍ୟୁ ସମୟରେ ତାହାର ସାନପୁଅକୁ ପାଖକୁ ଡାକି କହିଥିଲେ, ‘‘ଦେଖ୍‌, ତୋର ଭାଇ ତ ଅନ୍ଧ ଓ ଅସମର୍ଥ, ତୁ ସଦାବେଳେ ତାହାକୁ ସାହାଯ୍ୟ କରିବୁ । ଯାହା ମିଳିବ ଦୁଇଭାଇ ଆପଣା ମଧ୍ୟରେ ଭାଗ କରି ଚଳିବ ।

 

ସାନଭାଇ ଏକାଥରେ ସମ୍ମତି ପ୍ରକାଶ କରି ପିତାଙ୍କ ଆଗରେ ପ୍ରତିଜ୍ଞା କରି କହିଲା ଯେ ସେ ସବୁବେଳେ ନିଜର ବଡ଼ଭାଇକୁ ସାହାଯ୍ୟ କରିବ । ବୁଢ଼ା ଶେଷନିଃଶ୍ୱାସ ତ୍ୟାଗ କଲା । ଦୁଇଭାଇ ଖୁବ୍‌ ଦୁଃଖ କଷ୍ଟରେ କାଳାତିପାତ କରୁଥିଲେ ।

 

ଦିନେ ସାନଭାଇ ବଡ଼ଭାଇକୁ ଜଙ୍ଗଲ ଭିତରକୁ ନେଇଗଲା ଏବଂ ଖଣ୍ଡେ ଦଉଡ଼ିରେ ତାହାକୁ ଗୋଟିଏ ଗଛ ସହିତ ବାନ୍ଧିଦେଇ କହିଲା—‘‘ମୁଁ ଏହିକ୍ଷଣି ଫେରିଆସୁଛି, ତୁମେ ଥାଅ ।’’ ସାନଭାଇଟି ଚାଲିଗଲା । ବନ୍ଧା ହୋଇଥିବା ଦଉଡ଼ି ଖଣ୍ଡକ ଖୁବ୍‌ ସରୁ ଓ ପତଳା ଥିବାରୁ ଅନ୍ଧଭାଇଟି ନିଜେ ଗଛରେ ବନ୍ଧା ହୋଇଥିବା କଥା ଜାଣିପାରିଲା ନାହିଁ ।

 

ସାନଭାଇର ଫେରିବାରେ ବିଳମ୍ବ ହେଉଥିବାର ଦେଖି ସେ ନିଜେ କଷ୍ଟ କରି ଟିକିଏ ଆଗକୁ ଯାଇ ଦେଖି ଆସିବାକୁ ଚେଷ୍ଟା କଲା । କିନ୍ତୁ ସେତେବେଳେ ସେ ଗଛ ସହିତ ବନ୍ଧା ହୋଇଥିବାର ଜାଣିପାରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ରାତି ଘନାଇ ଆସିବା ସଙ୍ଗେ ସଙ୍ଗେ ଜଙ୍ଗଲରେ ହିଂସ୍ର ଜନ୍ତୁମାନଙ୍କର ଗର୍ଜ୍ଜନ ଶୁଣାଗଲା-। ସଙ୍ଗେ ସଙ୍ଗେ ଅନ୍ଧବାଳକଟିର ସ୍ମରଣ ହେଲା ଯେ ତା’ ପକେଟରେ ଗୋଟାଏ ଛୁରୀ ଅଛି । ସେହି ଛୁରୀ ସାହାଯ୍ୟରେ ସେ ଦଉଡ଼ିକୁ କାଟି ପକାଇ ସେହି ଗଛ ଉପରେ ଚଢ଼ିଯାଇ ଗୋଟାଏ ଉଚ୍ଚ ଡାଳରେ ବସିରହିଲା ।

 

ଅଳ୍ପ ସମୟ ମଧ୍ୟରେ ସେହି ଗଛତଳେ ହିଂସ୍ରପଶୁମାନେ ଆସି ଜମାହେଲେ । ସେଠାରେ ସେହି ପଶୁମାନେ ସଭା କରି ଆପଣା ଆପଣା ମଧ୍ୟରେ କଥାବାର୍ତ୍ତା କରୁଥିଲେ । ଗୋଟାଏ ପଶୁ କହିଲା—‘‘ଚିତା ଭାଇ କିଛି ନୂଆଁ କଥା କୁହ ? ଚିତା କହିଲା—‘‘ଆମେ ଯେଉଁ ଗଛ ତଳେ ଏକତ୍ରିତ ହୋଇଛୁଁ, ସେହି ଗଛର ଛାଲି ଯଦି କୌଣସି ଅନ୍ଧ ତା’ ଚକ୍ଷୁରେ ଲେପନ କରେ, ତେବେ ତତ୍‌କ୍ଷଣାତ୍‌ ତାହାର ଚକ୍ଷୁର ଜ୍ୟୋତି ଫେରିପାଇବ ?’’ ଅନ୍ଧ ବୃକ୍ଷ ଉପରେ ଥାଇ ଏ ସମସ୍ତ କଥା ଶୁଣୁଥିଲା । ସେ ସେହିକ୍ଷଣି ପକେଟରୁ ଛୁରୀ ବାହାର କରି ଟିକିଏ ଛାଲି କାଟି ଆଖିରେ ଲେପନ କରିବାମାତ୍ରେ ଚକ୍ଷୁର ଜ୍ୟୋତି ଫେରିଆସିଲା । ଯେତେବେଳେ ସେ ଏତେଗୁଡ଼ିଏ ହିଂସ୍ରପଶୁଙ୍କୁ ଏକାଠି ହୋଇଥିବାର ଦେଖିଲା, ତାହାର ଖୁବ୍‌ ଭୟ ହେଲା । ସେ ଭାବିଲା, ଯଦି ଏହି ପଶୁଙ୍କ ମୁହଁରୁ ରକ୍ଷା ପାଇଯାଏ, ତାହେଲେ ସବୁ ଠିକ୍‌ ହୋଇଯିବ । ଏତିକିବେଳେ ପୁନରାୟ ପଶୁମାନେ ନିଜ ନିଜ ଭିତରେ କଥାବାର୍ତ୍ତା କରୁ କରୁ ଜଣେ କହିଲା–‘‘ଚିତା ଭାଇ, ତୁମେ ଏପରି ଏକ ରହସ୍ୟର ଭେଦ କହିଲ, ଯେଉଁଥିରେ ଆମର ବହୁତ ଲାଭ ହେଲା । ଆଚ୍ଛା, ଏଥର ଭାଇ ଭାଲୁ ତୁମେ କିଛି ନୂଆଁ କଥା କୁହ ।

 

ଭାଲୁ କହିଲା—‘‘ମୋର ତ ସାଧାରଣ କଥା । ନିକଟରେ ଏକ ନଗରୀ ଅଛି, ସେଠାରେ ପାଣି ଅଭାବରୁ ସମସ୍ତେ ଛଟପଟ ହେଉଛନ୍ତି । ଯଦି କେହି ସାହସ ଧରି ସେହି ନଗରୀ ମଧ୍ୟରେ ଥିବା ପଥରକୁ ଘୁଞ୍ଚାଇ ଦେଇପାରିବ, ତେବେ ସମଗ୍ର ଦେଶରେ ଆଉ ଜଳକଷ୍ଟ ରହିବ ନାହିଁ ।’’

 

ପଶୁମାନେ କହିଲେ—‘‘ଭାଇ ଭାଲୁ, ତୁମେ ଯାହା କହିଲ, ତାହା ସମସ୍ତଙ୍କ ପାଇଁ ଲାଭଜନକ ।’’ ପଶୁରାଜ ସିଂହ ଏଥିରେ ଟିକିଏ ଅପମାନିତ ମନେକରି କହିଲା—‘‘ମୁଁ ମଧ୍ୟ ଏକ ଅପୂର୍ବ ରହସ୍ୟର ଭେଦ ଜଣାଇବି । ଏହି ରାଜ୍ୟର ରାଜକୁମାରୀ ଖୁବ୍‌ ଅସୁସ୍ଥ ଅଛନ୍ତି । ଶହ ଶହ ବୈଦ୍ୟ ତାହାଙ୍କ ସେବାରେ ଲାଗି ରହିଛନ୍ତି, କିନ୍ତୁ କେହି ରୋଗକୁ ଆରୋଗ୍ୟ କରିପାରୁନାହାନ୍ତି । ପ୍ରଜାମାନେ ସମସ୍ତେ ସେଥି ପାଇଁ ଦୁଃଖିତ । କଥାଟି ହେଉଛି, ରାଜକୁମାରୀଙ୍କ ପଲଙ୍କ ତଳେ ଗୋଟିଏ ବେଙ୍ଗ ଅଛି, ତାହାକୁ ଯଦି କେହି ବାହାର କରିଦିଏ, ତେବେ ସେ ସୁସ୍ଥ ହୋଇଯିବେ ।’’ ପଶୁମାନେ ଏହା ଶୁଣି କହିଲେ—‘‘ଏ କଥା କରିପାରିଲେତ ଆମକୁ ବହୁତ ଧନ ମିଳନ୍ତା ।’’ ଏମିତି କଥାବାର୍ତ୍ତା କରୁକରୁ ସକାଳ ହୋଇଗଲା ଏବଂ ପଶୁମାନେ ସମସ୍ତେ ସେ ସ୍ଥାନ ଛାଡ଼ି ଚାଲିଗଲେ ।

 

ସିନ୍ଦୁରା ଫାଟିଲା । ଆକାଶରେ ସୁନାରଙ୍ଗର କିରଣ ବୋଳି ସୂର୍ଯ୍ୟଦେବତା ଉଇଁଲେ । ସୂର୍ଯ୍ୟ କିରଣରେ ଚାରିଆଡ଼ୁ ଆଲୋକିତ ହେଲା । ଗଛରୁ ତଳକୁ ଓହ୍ଲାଇ ଆସି ଯୁବକ ଜଳହୀନ ନଗର ଆଡ଼କୁ ଯାତ୍ରା କଲା । ନଗର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେ ନଗରବାସୀଙ୍କୁ କହିଲା–‘‘ଆପଣମାନେ କାହିଁକି ଶୋକାକୁଳ ଦେଖା ଯାଉଛନ୍ତି ? କଥା କ’ଣ ?’’

 

ନଗରବାସୀମାନେ କହିଲେ—‘‘ଆମେ ବହୁ ଦୁଃଖକଷ୍ଟ ମଧ୍ୟରେ ଗତି କରୁଛୁଁ । ସହରରେ ପିଇବା ପାଇଁ ଟୋପାଏ ସୁଦ୍ଧା ପାଣି ନାହିଁ ।’’

 

ଯୁବକଟି କହିଲା—‘‘ମୁଁ ତ ବହୁଦୂରରୁ ଆସୁଛି ତେଣୁ ମୁଁ କିଛି ଜାଣେ ନାହିଁ ।’’ ସହରର ଲୋକମାନେ କହିଲେ ‘‘ତୃଷାରେ ଆମ୍ଭମାନଙ୍କର ମୃତ୍ୟୁ ସୁନିଶ୍ଚିତ । ଈଶ୍ୱରଙ୍କ କରୁଣା ହେଲେ ଆମେ ବଞ୍ଚିଯିବୁ ନ ହେଲେ ଆମକୁ ଏ ଦେଶ ଛାଡ଼ି ଚାଲିଯିବାକୁ ପଡ଼ିବ ।’’ ଯୁବକଟି କହିଲା । ‘‘ଏହି ସହରରୁ ପାଣିର ଅଭାବ ଦୂର କରି ଦେଇ ପାରିଲେ ଆପଣମାନେ କ’ଣ ଦେବେ ?’’

 

ଲୋକମାନେ କହିଲେ—‘‘ତୁମେ ଯେତିକି ଚାହିଁବ ସେତିକି ଧନ ଦିଆଯିବ ।’’ ‘‘ଆଚ୍ଛା, ତାହେଲେ ଆପଣମାନେ ନିଜ ନିଜ ଗୃହକୁ ଫେରିଯାଆନ୍ତୁ । ଅଳ୍ପ ସମୟ ପରେ ଦେଖିବେ ଚାରିଆଡ଼ୁ କେବଳ ପାଣିରେ ଭରିଯାଇଥିବ ।’’ ସମସ୍ତେ ଯୁବକଟିର କଥା ମାନି ଘରକୁ ଫେରିଗଲେ-। ଯୁବକଟି ସହର ମଝିରେ ଥିବା ପଥରଟିକୁ ଘୁଞ୍ଚାଇ ଦେଇ ସେଠାରେ ଟିକିଏ ଖୋଳି ଦେବାରୁ ପାଣିର ସୁଅ ଛୁଟି ଚତୁର୍ଦ୍ଦିଗ ଜଳମୟ ହୋଇଗଲା । ସମସ୍ତ ନଦୀ, ନାଳ, ପୋଖରୀ ପାଣିରେ ଭରିଗଲା । ଲୋକେ ଅତ୍ୟନ୍ତ ଖୁସିହୋଇ ଯୁବକକୁ ବହୁତ ଧନସମ୍ପତ୍ତି ଅଜାଡ଼ି ଦେଲେ । ସେହି ଜଳହୀନ ରାଜ୍ୟର ରାଜକୁମାରୀ ହିଁ ଅସୁସ୍ଥ ଥିଲେ । ସେହି ରାଜ୍ୟର ଅଧିବାସୀଙ୍କୁ ଯୁବକ ପଚାରିଲେ—‘‘ଆପଣମାନେ କାହିଁକି ଏତେ ଉଦାସୀନ ଦେଖାଯାଉଛନ୍ତି ? ସହରରେ କେହି କ’ଣ ଅସୁସ୍ଥ ଅଛନ୍ତି କି ?’’

 

ନଗରବାସୀ କହିଲେ—‘‘ଆମର ଏ ରାଜ୍ୟର ରାଜକୁମାରୀ ମୃତ୍ୟୁ ଶଯ୍ୟାରେ ଶାୟିତା । ରାଜ୍ୟର ସବୁ ଚିକିତ୍ସକ ଚିକିତ୍ସା କରିବାରେ ବିଫଳ ହୋଇଗଲେଣି । ତାପରେ ଯୁବକଟି ରାଜାଙ୍କ ଉଆସରେ ପହଞ୍ଚି କେବଳ ଚିକିତ୍ସକଙ୍କ ମେଳା ଦେଖିଲା । ଜଣେ ଚିକିତ୍ସକ ଯୁବକଙ୍କୁ ପ୍ରଶ୍ନ କଲେ, ‘‘ହେ ଭଦ୍ର, ଆପଣଙ୍କ ଏଠାରେ ଆଗମନର କାରଣ କ’ଣ ?’’

 

ଯୁବକ ଜଣକ କହିଲା—‘‘ମୁଁ ରାଜକୁମାରୀଙ୍କୁ ସୁସ୍ଥ କରିବା ପାଇଁ ଆସିଛି ।

 

ଚିକିତ୍ସକ କହିଲେ—‘‘ଅପାରଗ, ତୁମେ ତାହାଙ୍କୁ କିପରି ସୁସ୍ଥ କରିବ ?’’ ରାଜା ତାହାଙ୍କୁ ତାଙ୍କ ପାଖକୁ ନେଇ ଆସିବା ପାଇଁ ଆଦେଶ ଦେଲେ ।

 

ରାଜା ଯୁବକଙ୍କୁ ଦେଖି ପଚାରିଲେ—‘‘ଆପଣ ଏଠାକୁ କାହିଁକି ଆସିଅଛନ୍ତି ?’’

 

ଯୁବକଟି କହିଲା—‘‘ମହାରାଜ, ଆପଣ ଯଦି ପ୍ରତିଜ୍ଞା କରିବେ ଯେ, ଆପଣଙ୍କ କନ୍ୟା ସୁସ୍ଥ ହେବା ପରେ ମୋ’ସହିତ ତା’ର ବିବାହ ଦେବେ, ତେବେ ମୁଁ ଆପଣଙ୍କ କନ୍ୟାକୁ ସୁସ୍ଥ କରିଦେବି ।’’ ରାଜା କହିଲେ—‘‘ଯଦି ସୁସ୍ଥ କରି ନ ପାର, ତାହେଲେ ଫାଶିକାଠରେ ଝୁଲିବାକୁ ହେବ-।’’

 

ଯୁବକଟି ଏଥିରେ ସମ୍ମତି ଜ୍ଞାପନ କଲା । ଯୁବକ ରାଜକୁମାରୀ ଥିବା କୋଠରୀରୁ ସମସ୍ତଙ୍କୁ ବାହାରିଯିବାକୁ କହି, ରାଜକୁମାରୀର ପଲଙ୍କତଳୁ ଏକ ମସ୍ତବଡ଼ ବେଙ୍ଗ ବାହାର କରି ଫୋପାଡ଼ିଦେଲା । ସଙ୍ଗେ ସଙ୍ଗେ ରାଜକୁମାରୀ ଆଖି ଖୋଲି ଉଠି ବସିପଡ଼ି କହିଲା—‘‘ମୋତେ ଏଠାରେ କାହିଁକି ରଖା ଯାଇଅଛି ?’’

 

ରାଣୀ ପାଖରେ ଠିଆ ହୋଇଥିଲେ କହିଲେ, ‘‘ତୁମକୁ ଜଣାନଥିଲା, ତୁମେ ଭୀଷଣ ଭାବରେ ଅସୁସ୍ଥ ହୋଇପଡ଼ିଥିଲ ।’’ ରାଜକୁମାରୀ ସୁସ୍ଥ ହୋଇପଡ଼ିଥିବାର ଖବର ପାଇ ରାଜା ଅତ୍ୟନ୍ତ ଖୁସି ହୋଇ ରାଜକୁମାରୀ ସହିତ ଯୁବକଟିର ବିବାହ କରିଦେଲେ । ବିବାହ ପରଦିନ ନବଦମ୍ପତି ଚାରୋଟି ଘୋଡ଼ା ଯୋଚା ହୋଇଥିବା ଗୋଟିଏ ଗାଡ଼ିରେ ବସି ବୁଲି ବାହାରିଲେ । ରାସ୍ତାରେ ଯୁବକଟି ତାହାର ସାନଭାଇକୁ ଦେଖି ପଚାରିଲା—‘‘କୁଆଡ଼େ ଯାଉଅଛ ? ‘‘ତୁମେ ମୋତେ ଚିହ୍ନିପାରୁନାହଁ କି ? ସାନଭାଇ ମୁଣ୍ଡ ହଲାଇ ମନାକଲା ।’’ ଯୁବକ କହିଲା—‘‘ତୁମର ଜଣେ ଅନ୍ଧଭାଇ ଥିଲା ନା ?’’

 

ସେ କହିଲା—‘‘ହଁ, ସେ ଭାଇତ ମରିଯାଇଛି ।’’ ଯୁବକ କହିଲା—‘‘ମିଛ ନ କହି ସତ କୁହ, ତୁମେ ଆପଣା ଭାଇ ସହିତ କିପରି ବ୍ୟବହାର କରିଥିଲ ?’’

 

ସାନଭାଇଟି ସବୁକଥା କହିଲା । ଯୁବକର ମନରେ ସାନଭାଇ ପ୍ରତି ଦୟା ହେଲା । ସେ କହିଲା—‘‘ମୁଁ ତୋର ସେଇ ଭାଇ । ତୋତେ ମୁଁ ଫାଶିକାଠରେ ନ ଝୁଲାଇ ତୋର ଉପକାର କରିବି କାରଣ ମୁଁ ତୋ ପରି ଦୁଷ୍ଟ ନୁହେଁ ।’’

 

ସାନଭାଇ କହିଲା—‘‘ତୁମେ ଆପଣା ଆଖିର ଜ୍ୟୋତି କିପରି ଫେରିପାଇଲ ?’’ ଏଥିରେ ବଡ଼ଭାଇ ସମସ୍ତ କାହାଣୀ ସାନଭାଇକୁ କହିଲା । ସାନଭାଇ ମନେ ମନେ ବିଚାରିଲା, ବଡ଼ଭାଇ ପରି ମୁଁ ବି ସେହି ଗଛ ଉପରେ ଚଢ଼ିଲେ ଧନବାନ୍ ହୋଇଯିବି-। ଶେଷରେ ସେ ଜଙ୍ଗଲ ଉଦ୍ଦେଶ୍ୟରେ ଯାତ୍ରା କଲା ।

 

ସଞ୍ଜ ହେବା ଆଗରୁ ଜଙ୍ଗଲକୁ ଯାଇ ସେଇ ଗଛ ଉପରେ ଚଢ଼ିଗଲା । ଦିପହର ରାତି ବେଳକୁ ଜଙ୍ଗଲ ମଝିରେ ପଶୁମାନଙ୍କର ଗର୍ଜ୍ଜନ ଶୁଣାଗଲା । ପୂର୍ବପରି ସବୁ ଜନ୍ତୁ ସେହି ବୃକ୍ଷତଳେ ଆସି ଜମା ହୋଇଗଲେ । ସଭା କରି ପରସ୍ପର କଥାବାର୍ତ୍ତା ହେବାକୁ ଲାଗିଲେ ।

 

ସିଂହ କହିଲା—‘‘କିଛି ନୂଆ କଥା କୁହ ।’’

 

ଚିତା କହିଲା—‘‘ଯେଉଁଦିନ ଆମେ ସଭାରେ କଥାବାର୍ତ୍ତା କରୁଥିଲୁଁ, ସେ ଦିନ ଜଣେ ଅନ୍ଧ ଏହି ବୃକ୍ଷ ଉପରେ ବସି ଆମର ସବୁକଥା ଶୁଣୁଥିଲା, ତଦନୁସାରେ କାମ କଲାରୁ ତାହାର ଆଖିର ଜ୍ୟୋତି ଫେରିପାଇଥିଲା ଓ ବହୁତ ଧନବାନ୍‌ ହୋଇଗଲା ।

 

ଭାଲୁ କହିଲା—‘‘ନଗରରେ ପାଣି ଅଭାବରୁ ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେ ସେଠାକୁ ଯାଇ ନଗରବାସୀଙ୍କ ପାଣିର ଅଭାବ ଦୂର କଲା ।’’

 

ସିଂହ କହିଲା—‘‘ମୋ କହିବା ଅନୁସାରେ ସେ ରାଜକୁମାରୀଙ୍କ ପଲଙ୍କତଳୁ ବେଙ୍ଗକୁ ବାହାର କରି ରାଜକୁମାରୀଙ୍କୁ ସୁସ୍ଥ କରିଦେଲା । ବୋଧହୁଏ ଆଜି ବି ଆମର ରହସ୍ୟ ଭେଦ କରିବା ପାଇଁ ଏହି ଗଛ ଉପରେ ଲୁଚି ବସିଛି ।’’

 

ଶିଆଳ କହିଲା—‘‘ମୁଁ ବି ଗଛ ଉପରେ କିଛି ଦେଖିପାରୁଛି । ଭାଇ ଭାଲୁ, ତୁମେ ଗଛ ଉପରେ ଚଢ଼ି, ତାକୁ ତଳକୁ ଠେଲିଦିଅ ।’’

 

ଭାଲୁ କହିଲା—‘‘ନା, ନା, ମୁଁ ଗଛକୁ ଚଢ଼ି ତଳକୁ ଓହ୍ଲାଇବା ସମୟ ମଧ୍ୟରେ ତୁମେ ସମସ୍ତେ ତାକୁ ଖାଇ ଶେଷ କରି ସାରିଥିବ । ଆଉ ମୋ ଭାଗ୍ୟକୁ କିଛି ନ ଥିବ ।’’

 

ଶିଆଳ କହିଲା—‘‘ତୁମେ ଚିନ୍ତା କର ନା । ତୁମ ପାଇଁ ନିଶ୍ଚୟ ଭାଗ ରହିବ ।’’ ଶେଷରେ ସମସ୍ତଙ୍କର ଅନୁରୋଧ ରକ୍ଷାକରି ଭାଲୁ ସେ ଗଛ ଉପରେ ଚଢ଼ିଲା । ଗଛ ଉପରକୁ ଯାଇ ସେ କହିଲା, ‘‘ହଁ, ସେହି ବଦମାସ ଲୋକଟା ଏଠାରେ ଅଛି । ମୁଁ ତାକୁ ଠେଲି ଦେଉଛି, ମୋ ପାଇଁ କିଛି ମାଂସ ନିଶ୍ଚୟ ରଖିଥିବ ।’’ ଏସବୁ କଥା ଶୁଣି ସାନଭାଇଟିର ହଲକ ଶୁଖିଗଲା । ସେ ଭୟରେ ଥରି ଥରି ଗୋଟାଏ ଡାଳରୁ ଆଉ ଗୋଟାଏ ଡାଳକୁ ଡେଇଁବାକୁ ଲାଗିଲା । ଶେଷରେ ଭାଲୁ ତାହାକୁ ଗୋଡ଼ାଇ ତାହାର ଏକ ଗୋଡ଼ ଧରି ତଳେ ପକାଇଦେଲା । ଭୂମିରେ ପଡ଼ିବା ପରେ ପଶୁମାନେ ଧରି ନେଇ ଭାଲୁକୁ କହିଲେ—‘‘ଯଦି ଭାଗ ନେବାକୁ ଚାହଁ ଶୀଘ୍ର ଓହ୍ଲାଇ ଆସ ।’’ ତା’ ପରେ ପଶୁମାନେ ମିଶି ଯୁବକକୁ ଟିକିଟିକି କରି ଖାଇଗଲେ ।

Image